ନୂଆଦିଲ୍ଲୀ: ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଓଡ଼ିଶା-ଛତିଶଗଡ଼ ବିବାଦର ସମାଧାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜିଠୁ (ମଙ୍ଗଳବାର)ଠାରୁ ନୂଆଦିଲ୍ଲୀରେ ଉଭୟ ରାଜ୍ୟ ମଧ୍ୟରେ ୧୧ ଦିନିଆ ବିସ୍ତୃତ ଆଲୋଚନା ଆରମ୍ଭ ହୋଇଛି।
ଏହି ଆଲୋଚନା ଜୁନ୍ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାନଦୀର ଜଳ ବଣ୍ଟନ, ଜଳ ବ୍ୟବହାର ଏବଂ ଦୁଇ ରାଜ୍ୟର ଦାବି-ଆପତ୍ତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ। ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ ଅଧିକ ସମୟ ଧରି ଆଲୋଚନା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ଅନୁରୋଧ କରିଥିଲେ।
ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଏହି ବୈଠକରେ ଉଭୟ ରାଜ୍ୟର ଆଇନଗତ ଓ ବୈଷୟିକ ବିଶେଷଜ୍ଞ ଦଳ ଅଂଶଗ୍ରହଣ କରିବେ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସହଯୋଗ ମଧ୍ୟ ନିଆଯିବ।
ଆଲୋଚନା ଶେଷ ହେବା ପରେ ଉଭୟ ରାଜ୍ୟ ନିଜ ନିଜ ମତାମତ ଓ ନିଷ୍କର୍ଷ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୭ ତାରିଖରେ ହେବାକୁ ଥିବାବେଳେ, ଏହି ୧୧ ଦିନିଆ ଆଲୋଚନା ମହାନଦୀ ଜଳ ବିବାଦର ସମାଧାନ ଦିଗରେ କେତେଦୂର ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।