ଭୁବନେଶ୍ୱର: ଭୁବନେଶ୍ୱର ଗଜପତି ନଗର ପ୍ରେସ୍ ଛକ ନିକଟରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ଗତକାଲି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଆଇଏଏସ୍ ଅଧିକାରୀଙ୍କ ସ୍ୱାମୀ ନିୟୁ ସରକାରୀ କଲୋନୀର ଜେରୋମ୍ ଏକ୍କା ଏବଂ ସନ୍ତୋଷ ବେହେରାଙ୍କର ମୃତ୍ୟୁ ହୋଇଥିଲା । ସନ୍ତୋଷ ଜଣେ ଇଲେକ୍ଟ୍ରିସିଆନ୍ ।
ଗତକାଲି ରାତି ପ୍ରାୟ ଆଠଟା ସମୟରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ହୋଇଥିଲା । ଗୋଟିଏ ଦ୍ରୁତଗାମୀ କାର୍ ( ଓଡି୩୫କେ -୩୩୯୯) ୪ଟି ବାଇକ୍ ଓ ଅଟୋକୁ ଧକ୍କା ଦେଇ ଚା’ ଦୋକାନ ଉପରକୁ ମାଡ଼ିଯାଇଥିଲା । ନିୟୁ ସରକାରୀ କଲୋନୀ ଫାଟକ ପାଖ ଚା' ଦୋକାନ ନିକଟରେ କାରଟି ହମ୍ପକୁ ଡେଇଁ ମାଡ଼ିଯାଇଥିଲା । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି ।
ସେପଟେ ମୈତ୍ରୀ ବିହାର ଥାନା ପୋଲିସ ଉକ୍ତ କାର୍ ଏବଂ ଚାଳକକୁ ନିଜ ହେପାଜତକୁ ନେଇଛି । କାର୍ ଚାଳକ ହେଲେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁରର ଅନୀଲ ଗୌଡ଼ । ଅନୀଲ ପୋଲିସକୁ ଦେଇଥିବା ବୟାନ ଏବେ ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ହଠାତ୍ ତାଙ୍କର କାଶ ହେବାରୁ କାଶିବା ସମୟରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଦେଇଥିଲେ ବୋଲି ସେ କହିଛନ୍ତି । ତେବେ ସେ ମଦ୍ୟପାନ କରିନଥିବା ପୋଲିସ ସ୍ପଷ୍ଟ କରିଛି ।