ଝାରସୁଗୁଡ଼ା:ସାଇବର ଅପରାଧ ବିରୋଧରେ ଝାରସୁଗୁଡ଼ା ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଜଣେ ଯୁବତୀଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସାରଣ କରିବା ସହ ଅନଲାଇନ୍ରେ ଧମକ ଓ ହଇରାଣ କରୁଥିବା ଜଣେ ସାଇବର ଅପରାଧୀକୁ ବିହାରରୁ ଗିରଫ କରିଛି ଝାରସୁଗୁଡ଼ା ସାଇବର୍ ପୋଲିସ। ଅଭିଯୁକ୍ତ ହେଲେ ମହମ୍ମଦ ରାଶିଦ ।
ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ ଅଭିଯୋଗ କରିଥିଲେ ଯେ, ଅଜଣା ବ୍ୟକ୍ତି ତାଙ୍କ ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋକୁ ପ୍ରୋଫାଇଲ୍ ଫୋଟ ଭାବେ ବ୍ୟବହାର କରୁଥିଲା। ଏହା ସହ ବିଭିନ୍ନ ମୋବାଇଲ୍ ନମ୍ବରରୁ ଅଶ୍ଳୀଳ ଫଟୋ, ଭିଡିଓ ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ତାଙ୍କୁ ଦୀର୍ଘଦିନ ଧରି ମାନସିକ ଭାବେ ହଇରାଣ କରାଯାଉଥିଲା।
ଅଭିଯୋଗ ପାଇବା ପରେ ଝାରସୁଗୁଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଡିଜିଟାଲ୍ ପ୍ରମାଣ ସଂଗ୍ରହ ସହିତ ମେଟା ପ୍ଲାଟଫର୍ମରୁ ଆବଶ୍ୟକ ତଥ୍ୟ ହାସଲ କରାଯାଇଥିଲା। କଲ୍ ଡିଟେଲ୍ ରେକର୍ଡ ଏବଂ ସବସ୍କ୍ରାଇବର ଡାଟାର ବିଶ୍ଳେଷଣ ପରେ ଅଭିଯୁକ୍ତକୁ ବିହାରର ସୁପୌଲ ଜିଲ୍ଲାରେ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ଝାରସୁଗୁଡ଼ା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାର ଯାଇ ଚଢ଼ାଉ କରି ଅଭିଯୁକ୍ତ ମହମ୍ମଦ ରାଶିଦକୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବା ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।