ଭୁବନେଶ୍ୱର: ଆଜି ହେଉଛି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ । ଗାଁଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଉତ୍ସବ ମୁଖର । ଦୋଳି ଖେଳ ସାଙ୍ଗକୁ ପୋଡ଼ ପିଠା ଏବଂ ମିଠା ପାନର ମଜା ନେଉଛନ୍ତି ପିଲା ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ।
ଦ୍ୱିତୀୟ ରଜରେ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରଜ ଉତ୍ସବ ମଧ୍ୟ ପାଳନ କରାଯାଉଛି । ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପୋଡ଼ ପିଠା, ପୁଞ୍ଚି ଖେଳ, ନୃତ୍ୟ, ଗୀତ ଓ ପାନ ଭଙ୍ଗା ଇତ୍ୟାଦି ପ୍ରତିଯୋଗିତା କରାଯାଉଛି । ଓଡ଼ିଶା ବାହାରେ ମଧ୍ୟ ଥିବା ପ୍ରବାସୀ ଓଡ଼ିଆମାନେ ଏକାଠି ମିଳିମିଶି ରଜ ଉତ୍ସବ ପାଳନ କରୁଛନ୍ତି । ଗତକାଲି ରବିବାରରେ ପହିଲି ରଜ ପଡ଼ିଥିବାରୁ ରଜ ଉତ୍ସବ ବେଶ ଜମିଥିଲା ।
ରଜ ବର୍ଷା ଆଗମନ ଏବଂ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ । ଏହି ତିନି ଦିନ ଧରତ୍ରୀ ମାତା ରଜସ୍ୱଳା ହୋଇଥାଆନ୍ତି । ଅର୍ଥାତ ବର୍ଷାର ଆଗମନରେ ଧରତ୍ରୀ ରଜସ୍ୱଳା ହୋଇଥାଆନ୍ତି । ସେଥିପାଇଁ ଏହି ତିନି ଦିନ ପୃଥିବୀକୁ କୌଣସି କଷ୍ଟ ଦିଆଯାଇନଥାଏ । ଯେପରିକି ଚୂଲି ନ ଜାଳିବା ଏବଂ ଭୂମିକୁ ଖୋଦନ ନ କରିବା ଇତ୍ୟାଦି । ରଜ ତିନି ଦିନ ପରେ ଚାଷ କାମ ଆରମ୍ଭ ହୁଏ ।
ରଜସ୍ୱଳା ମହିଳାଙ୍କ ସହିତ ଜଡ଼ିତ ଥିବାରୁ ସେଥିପାଇଁ ଝିଅ ଏବଂ ମହିଳା ମାନେ ବିଶେଷଭାବରେ ଏହାକୁ ପାଳନ କରନ୍ତି । ଗୃହିଣୀମାନେ ତିନି ଦିନ ଆଗକୁ ପିଠା ପଣା ପ୍ରସ୍ତୁତ କରି ରଖନ୍ତି ଏବଂ ଏହି ତିନି ଦିନ ଘର କାମରୁ ଛୁଟି ନେଇ ଦୋଳି ଖେଳ, ପୁଞ୍ଚି ଖେଳ, ତାସ ଖେଳ ଇତ୍ୟାଦିରେ ସମୟ ବିତାଇଥାଆନ୍ତି ।