ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ। ଜୁନ୍ ୧୪ ହେଉଛି 'ପହିଲି ରଜ'। ଏହି ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଓଡ଼ିଶାର ସମୃଦ୍ଧି ଓ ସୁଖଶାନ୍ତି କାମନା କରିଛନ୍ତି।
ରଜ ପର୍ବର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପର୍ବ ସହ ଆମ କୃଷି ସଂସ୍କୃତିର ନିବିଡ଼ ସମ୍ପର୍କ ରହିଛି। ରଜ ପର୍ବର ସମାପ୍ତି ପରେ ହିଁ ଓଡ଼ିଶାରେ ବିଧିବଦ୍ଧ ଭାବେ ଚାଷ କାର୍ଯ୍ୟ ଅନୁକୂଳ ହୋଇଥାଏ। ବସୁଧା ମାତାଙ୍କୁ ସମ୍ମାନ ଜଣାଇବାର ଏହି ଅନନ୍ୟ ପରମ୍ପରା ଆମ ସଂସ୍କୃତିର ମହାନତାକୁ ଦର୍ଶାଏ। ଏହି ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀ ଓ ବିଶେଷ କରି କୃଷକ ଭାଇମାନଙ୍କର ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଚଳଚଞ୍ଚଳ ଗାଁଠୁ ସହର: ପୋଡ଼ପିଠା ଓ ପାନର ଆସର
ପହିଲି ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଘରେ ଘରେ ପୋଡ଼ପିଠା, ଚକୁଳି ଓ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ବାସ୍ନା ମହକୁଥିବା ବେଳେ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ରଜ ଦୋଳିର ମଜା ନେଉଛନ୍ତି। ଏହା ସହ ରଜ ପାନର ଜମୁଛି ଆସର।
ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣପର୍ବ ପାଇଁ ସାରା ଓଡ଼ିଶା ଏବେ ପ୍ରଫୁଲ୍ଲିତ। ପହିଲି ରଜ ପରେ ଆସନ୍ତାକାଲି ମିଥୁନ ସଂକ୍ରାନ୍ତି ବା 'ରାଜା' ଏବଂ ଶେଷ ଦିନରେ 'ଭୂଇଁ ଦହଣ' ବା ଶେଷ ରଜ ପାଳିତ ହେବ।