ନୂଆଦିଲ୍ଲୀ: ଭାରତୀୟ ସ୍ଥଳ ସେନାକୁ ମିଳିଛି ନୂତନ ସେନା ମୁଖ୍ୟ । ଲେପ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ ନୂତନ ସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଶନିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଧୀରଜ ସେଠଙ୍କୁ ସେନା ମୁଖ୍ୟଭାବେ ନିଯୁକ୍ତି ଦେଇଛନ୍ତି ।
ଲେପ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ଗ୍ରହଣ କରିବେ । ଆସନ୍ତା ଜୁନ୍ ୩୦ ତାରିଖରେ ଧୀରଜ ସେଠ୍ ନିଜ ପଦ ଅଳଙ୍କୃତ କରିବେ । ସେ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଧୀରଜ ସେଠ୍ ବର୍ତ୍ତମାନ ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ଏପ୍ରିଲ ମାସରେ ତାଙ୍କର ପଦୋନ୍ନତି ହୋଇଥିଲା ।
ଧୀରଜ ସେଠଙ୍କର ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ସେ ଖଡ଼କ୍ୱାସ୍ଲା ନାସନାଲ୍ ଡିଫେନସ୍ ଏକାଡେମୀର ଛାତ୍ର ଅଟନ୍ତି । ୧୯୮୬ ମସିହାରେ ସେ ସେନାରେ ଯୋଗ ଦେଇଥିଲେ । ପ୍ରାୟ ଚାରି ଦଶନ୍ଧିର କ୍ୟାରିୟରରେ, ଲେଫ୍ଟନାଣ୍ଟ ଜେନେରାଲ ପରିଚାଳନାଗତ, ରଣନୈତିକ, ଦକ୍ଷତା ବିକାଶ ଏବଂ ସାଂଗଠନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ।
ପରବର୍ତ୍ତୀ COAS ସୁଦର୍ଶନ ଚକ୍ର କୋରସର ନେତୃତ୍ୱ ନେଇଛନ୍ତି, ଯାହା ସେନାର ପ୍ରମୁଖ ଷ୍ଟ୍ରାଇକ୍ ଫର୍ମେଶନ ମଧ୍ୟରୁ ଗୋଟିଏ । ସେହିପରି ଦିଲ୍ଲୀ କ୍ଷେତ୍ରର ଜେନେରାଲ ଅଫିସର କମାଣ୍ଡିଂ ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହିତ ଦକ୍ଷିଣ ପଶ୍ଚିମ କମାଣ୍ଡ ଏବଂ ଦକ୍ଷିଣ କମାଣ୍ଡର ମଧ୍ୟ ନେତୃତ୍ୱ ନେଇଛନ୍ତି । ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ଅତି ବିଶିଷ୍ଟ ସେବା ପଦକରେ ସମ୍ନାନୀତ କରାଯାଇଛି ।