କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ଭାଇରାଲ୍ ସରପଞ୍ଚ ଚାମେଲି ଓଝାଙ୍କୁ ସ୍ଥାନାନ୍ତର କରିଛି ପୋଲିସ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚାମେଲି ଓଝାଙ୍କୁ ପୋଲିସ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରା ଉଚରା କରୁଛି । ଆଜି ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା ହେଉଛି ।
ଗତ ବୁଧବାର ତିଖିରି ସରପଞ୍ଚ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବାବେଳେ ବିଡିଓଙ୍କ ସହିତ ମତାନ୍ତର ହୋଇଥିଲା । ଏ ନେଇ ବିଡ଼ିଓ ପୋଲିସକୁ ଜଣାଇଥିଲେ । ସରପଞ୍ଚ ଚାମେଲିଙ୍କୁ ମହାକାଳପଡ଼ା ପୋଲିସ ଉଠାଇ ନେଇଥିଲା l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବେଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l ଏହା ପରେ ଚମେଲିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଦେଖାଯାଇଥିଲା । ପୋଲିସ ମାଡ଼ ମାରିଥିବା ଚାମେଲି ଅଭିଯୋଗ ଆଣିଥିଲେ ।
କିନ୍ତୁ ଚାମେଲିଙ୍କ ବିରୁଦ୍ଧରେ ମହାକାଳପଡ଼ା ପୋଲିସ ପାଲଟା ଅଭିଯୋଗ ଆଣିଥିଲା । ଚାମେଲି କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ମହାକାଳପଡ଼ା ଥାନା ଏସଆଇ ତପସ୍ଵିନୀ ବିଶ୍ଵାଳ ଲିଖିତ ଅଭିଯୋଗ କରିଥିଲେ । ଚାମେଲି ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡି ପକାଇବା, ଥାନା ପୋଡ଼ି ଦେବା ଧମକ ଏବଂ ଜଣେ ଗୃହରକ୍ଷୀଙ୍କ ତଣ୍ଟିଚିପି ଦେବା ଭଳି ଉଦ୍ୟମ କରିଥିଲେ । ଏଥିରେ ତିନି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଖାଲି ସେତିକି ନୁହେଁ ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚମେଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।