କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଓଏଏସ୍ ପୁରୁଷବନ୍ଧୁ ଭୀମସେନ ଟୁଡୁଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରୁ ଭୀମସେନଙ୍କୁ କଟକ ଆଣିଛି କମିଶନରେଟ୍ ପୋଲିସ । ଏହା ପରେ ତାଙ୍କୁ ପୋଲିସ ଜେରା କରିବା ଆରମ୍ଭ କରିଛି । କେବେଠାରୁ ଦୁହିଁଙ୍କ ସମ୍ପର୍କ ଥିଲା, କେବେଠାରୁ ବିଚ୍ଛେଦ ହୋଇଛି ଏବଂ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ଖୋଲତାଡ଼ କରୁଛି ପୋଲିସ ।
ଗତ ଜୁନ୍ 4 ତାରିଖରେ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ ଦେହ କାଠଯୋଡ଼ି ନଦୀରୁ ମିଳିଥିଲା । ତାଙ୍କ ପରିବାର ପୁରୁଷବନ୍ଧୁ ତଥା ଓଏଏସ୍ ତାଲିମ ନେଉଥିବା ଭୀମସେନ ଟୁଡୁଙ୍କ ନାଁରେ ଅଭିଯୋଗ କରିଥିଲା । ଏହା ପରଠାରୁ ଭୀମସେନ ଫେରାର ଥିଲେ । ଏମିତିକି ସେ ଝାଡ଼ଖଣ୍ଡରେ ମଧ୍ୟ ଯାଇ ଲୁଚିଥିଲା । ପୋଲିସ ତାଙ୍କର ଏକାଧିକ ବନ୍ଧୁଙ୍କୁ ଡାକି ଜେରା କରିଥିଲା । ଭୀମସେନ ପ୍ରାୟ ତିନୋଟି ସ୍ଥାନ ବଦଳାଇଥିଲେ । ଭୀମସେନ ଗିରଫଦାରୀରୁ ବଞ୍ଚିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଗତକାଲି ମୟୁରଭଞ୍ଜରୁ ତାଙ୍କୁ ଗିରଫ କରାଯାଇଥିବା କମିଶନରେଟ୍ ପୋଲିସ କହିଛି । କିନ୍ତୁ ବାରିପଦା ପୋଲିସ କହିଛି ଯେ ଭୀମସେନ ବିଶୋଇ ଥାନାରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆତ୍ମସମର୍ପଣ ନା ଗିରଫ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖ ଯୋଗ୍ୟ, ଚନ୍ଦ୍ରିକା ଏବଂ ଭୀମସେନଙ୍କ ମଧ୍ୟରେ ଦୀର୍ଘ ୧୫ ବର୍ଷର ପ୍ରେମ ସମ୍ପର୍କ ଥିଲା । ମାତ୍ର କିଛି ବର୍ଷ ପରେ ଭୀମସେନଙ୍କର ଚନ୍ଦ୍ରିକାଙ୍କ ଉପରୁ ମନ ଉଠିଯାଇଥିଲା । ସେ ତାଙ୍କ ରୂପ ରଙ୍ଗକୁ ନେଇ ଅନେକ କଥା କହୁଥିଲେ । ସେଥିପାଇଁ ଚନ୍ଦ୍ରିକା ଗୋରା ହେବା ପାଇଁ ମଧ୍ୟ ଚିକିତ୍ସା କରାଉଥିଲେ । ଚନ୍ଦ୍ରିକା ଗୋରା ନ ହେବାରୁ ଭୀମସେନ ଆଉ ବାହା ହେବାକୁ ରାଜି ହୋଇନଥିଲେ । କିନ୍ତୁ ଭୀମସେନ ଯୌତୁକ ବାବଦକୁ ଆଗୁଆ ଟଙ୍କା ମଧ୍ୟ ନେଇଥିଲେ । ଏହାରି ମଧ୍ୟରେ ଭୀମସେନ ଆଉ ଏକ ଝିଅ ପ୍ରତି ଆକର୍ଷିତ ହୋଇଥିଲେ । ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ଵିତୀୟ ଯୁବତୀ ଆସିବା ପରେ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ ବୋଲି ପରିବାର ଅଭିଯୋଗ କରିଛି ।
ଏହା ସହିତ ଭୀମସେନ ତାଙ୍କୁ ହତ୍ୟା କରିଥିବା ପରିବାର କହିଥିଲା । କିନ୍ତୁ ଚନ୍ଦ୍ରିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାର ପ୍ରମାଣ ମିଳିନାହିଁ । ପାଣିରେ ବୁଡ଼ିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ସେପଟେ ପୋଲିସ ମଧ୍ୟ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି । ଚନ୍ଦ୍ରିକା ନିଜ ଗାଡ଼ିରେ ଆସି କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିବା ପୋଲିସ କହିଛି ।