ପୁରୀ: ରଜ ପର୍ବର ଖୁସି ଭିତରେ ଘଟିଗଲା ଏକ ହୃଦୟବିଦାରକ ଅଘଟଣ। ଚନ୍ଦନପୁର ଜାନକାଦେଇପୂର ରେଳ ବ୍ରିଜ୍ ନିକଟସ୍ଥ ନଈରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଚନ୍ଦନପୁରରେ ପରିବା ବ୍ୟବସାୟ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟଙ୍କ ପୁଅମାନେ ନଈକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ଗଭୀର ପାଣିରେ ବୁଡ଼ି ଯାଇ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମୃତ ନାବାଳକଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ କେତକୀପାଟଣା ଗ୍ରାମର ବାସିନ୍ଦା ବୋଲି ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଲୋକେ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ପରେ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।
ଦୁଇ ଭାଇଙ୍କ ପରିବାରରୁ ଏକାସାଙ୍ଗରେ ଦୁଇ ଶିଶୁଙ୍କ ଜୀବନ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।