କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଗିରଫ ହୋଇଛନ୍ତି । କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଘଟଣାରେ ମହାକାଳପଡ଼ା ଥାନା ପୋଲିସ ଚାମେଲିଙ୍କୁ ଗିରଫ କରିବା ପରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରିଛି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସରପଞ୍ଚ ଚାମେଲି ଓଝାଙ୍କ ନାମରେ ଦୁଇଟି ମାମଲା ରହିଛି । ମହାକାଳପଡ଼ା ବିଡ଼ିଓଙ୍କୁ ଦୁର୍ବ୍ୟବହାର ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଚାମେଲି ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡି ପକାଇବା, ଥାନା ପୋଡ଼ି ଦେବା ଧମକ ଏବଂ ଜଣେ ଗୃହରକ୍ଷୀଙ୍କ ତଣ୍ଟିଚିପି ଦେବା ଭଳି ଉଦ୍ୟମ କରିଥିଲେ । ଏଥିରେ ତିନି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏ ନେଇ ମହାକାଳପଡ଼ା ଥାନା ଏସଆଇ ତପସ୍ଵିନୀ ବିଶ୍ଵାଳ ଲିଖିତ ଅଭିଯୋଗ କରିଥିଲେ । ସେହିପରି ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚମେଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବାବେଳେ ବିଡିଓଙ୍କ ସହିତ ମତାନ୍ତର ହୋଇଥିଲା । ଏ ନେଇ ବିଡ଼ିଓ ପୋଲିସକୁ ଜଣାଇଥିଲେ । ସରପଞ୍ଚ ଚାମେଲିଙ୍କୁ ମହାକାଳପଡ଼ା ପୋଲିସ ଉଠାଇ ନେଇଥିଲା l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବେଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l ଏହା ପରେ ଚମେଲିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଦେଖାଯାଇଥିଲା ।