ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ଭୁଲ୍ ବନାନ, ଅସଠିକ୍ ଇଂରାଜୀ ଲିପ୍ୟନ୍ତରଣ ଓ ଉଚ୍ଚାରଣ ତ୍ରୁଟିକୁ ଦୂର କରିବା ପାଇଁ ରାଜ୍ୟ ସରକାର ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଏହି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ରାଜ୍ୟର ଅନେକ ସ୍ଥାନରେ ସରକାରୀ ଫଳକ, ପ୍ରତିଷ୍ଠାନ ନାମ ଏବଂ ଦଲିଲପତ୍ରରେ ଓଡ଼ିଆ ନାମର ଭୁଲ ବନାନ ଓ ଭୁଲ ଉଚ୍ଚାରଣ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସୁଥିଲା। ଏବେ ଏହାକୁ ଗୁରୁତ୍ୱର ସହ ନେଇ ସରକାର ନାମଗୁଡ଼ିକୁ ସେମାନଙ୍କର ମୂଳ ଓ ସଠିକ୍ ରୂପରେ ପ୍ରଦର୍ଶନ କରିବାକୁ ପଦକ୍ଷେପ ନେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ପ୍ରତିଷ୍ଠାନର ନାମ ସଂଶୋଧନ କାମ ଶୀଘ୍ର ସରିବ। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମରେ ଯଦି ତ୍ରୁଟି ଥାଏ, ତାହାର ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଆଶା କରାଯାଉଛି, ବର୍ଷକ ମଧ୍ୟରେ ସେହି ପରିବର୍ତ୍ତନ ମଧ୍ୟ ଦୃଶ୍ୟମାନ ହେବ।
ତେବେ ଏହି ପଦକ୍ଷେପକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଆଶଙ୍କାକୁ ଦୂର କରି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ ଜାରି ହୋଇଥିବା ସାର୍ଟିଫିକେଟ୍, ଶିକ୍ଷାଗତ ପ୍ରମାଣପତ୍ର, ଜମି ଦଲିଲ କିମ୍ବା ଅନ୍ୟାନ୍ୟ ସରକାରୀ ଦସ୍ତାବିଜର ବୈଧତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସମସ୍ତ ପୁରୁଣା ପ୍ରମାଣପତ୍ର ପୂର୍ବଭଳି ବୈଧ ରହିବ।
ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ଏକ ଜାତିର ପରିଚୟ ଓ ଗୌରବ। ସେହି ଦୃଷ୍ଟିରୁ ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ଥାନନାମର ମୌଳିକତାକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ମଧ୍ୟରେ ସଠିକ୍ ଉଚ୍ଚାରଣ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ହିଁ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ବୋଲି ସରକାର କହିଛନ୍ତି।