ପାକିସ୍ତାନ ସରକାରଙ୍କ ଇକୋନୋମିକ୍ ସର୍ଭେ ୨୦୨୫-୨୬ ରେ ଦେଶର ଆର୍ଥିକ ଏବଂ ସାମାଜିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ପାକିସ୍ତାନରେ ଦାରିଦ୍ର୍ୟ ଦ୍ରୁତଗତିରେ ବଢ଼ୁଥିବା ବେଳେ ଶିକ୍ଷା ଉପରେ ସରକାରୀ ଖର୍ଚ୍ଚ ହ୍ରାସ ପାଇ ଅତି ନିମ୍ନ ସ୍ତରରେ ପହଞ୍ଚିଛି। ସର୍ଭେ ଅନୁସାରେ, ଆଜି ପାକିସ୍ତାନରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୩ ଜଣ ଗରିବୀ ସୀମାରେଖା ତଳେ ଜୀବନ ବିତାଉଛନ୍ତି। ରିପୋର୍ଟ ଦର୍ଶାଉଛି ଯେ, ୨୦୧୮-୧୯ ରେ ପାକିସ୍ତାନର ଦାରିଦ୍ର୍ୟ ହାର ୨୧. ୯% ଥିଲା, କିନ୍ତୁ ୨୦୨୪-୨(୫ ରେ ଏହା ବୃଦ୍ଧି ପାଇ ୨୮.୯% ହୋଇଯାଇଛି। ଅର୍ଥାତ୍ ଲକ୍ଷ ଲକ୍ଷ ଲୋକ ପୁଣି ଥରେ ଗରିବୀ ସୀମାରେଖା ତଳକୁ ଖସି ଆସିଛନ୍ତି।
ସର୍ଭେ ଅନୁଯାୟୀ, କ୍ରମାଗତ ଭାବେ ବଢ଼ୁଥିବା ମହଙ୍ଗା ମାଡ଼, ଆର୍ଥିକ ସଙ୍କଟ ଏବଂ ଆୟର ଅସମାନତା ଏହାର ମୁଖ୍ୟ କାରଣ। ଅନେକ ପରିବାରର ରୋଜଗାର ଏବେ ଏତିକି ନାହିଁ ଯେଉଁଥିରେ ସେମାନେ ନିଜ ଘର ଖର୍ଚ୍ଚ ସହଜରେ ଚଳାଇ ପାରିବେ। ଖାଦ୍ୟପେୟ, ବିଜୁଳି, ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଦାମ ବଢ଼ିବା ଯୋଗୁଁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ମହଙ୍ଗା ମାଡ଼ ଯୋଗୁଁ ଲୋକଙ୍କ କ୍ରୟ କ୍ଷମତା ମଧ୍ୟ ହ୍ରାସ ପାଇଛି।
ଦାରିଦ୍ର୍ୟ କେବଳ ଗାଁର ସମସ୍ୟା ହୋଇ ରହିନାହିଁ
ରିପୋର୍ଟରେ କୁହାଯାଇଛି ଯେ, ଦାରିଦ୍ର୍ୟ ଏବେ କେବଳ ଗ୍ରାମାଞ୍ଚଳର ସମସ୍ୟା ହୋଇ ରହିନାହିଁ। ପୂର୍ବରୁ ଗ୍ରାମାଞ୍ଚଳରେ ଅଧିକ ଗରିବ ଲୋକ ରହୁଥିଲେ, କିନ୍ତୁ ଏବେ ସହରାଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି। ପାକିସ୍ତାନର ସମସ୍ତ ପ୍ରମୁଖ ପ୍ରଦେଶରେ ଗରିବୀ ବଢ଼ିଛି। ବଢ଼ୁଥିବା ଦାରିଦ୍ର୍ୟ କାରଣରୁ ଆଗାମୀ ବର୍ଷଗୁଡ଼ିକରେ ପାକିସ୍ତାନରେ ବଡ଼ ଆର୍ଥିକ ଏବଂ ସାମାଜିକ ସଙ୍କଟ ଦେଖାଦେଇପାରେ ବୋଲି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ସର୍ଭେରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସମାଜର ଏକ ଛୋଟ ବର୍ଗ ଆର୍ଥିକ ଝଟକାରୁ ବଞ୍ଚିଯାଇଥିବା ବେଳେ ଗରିବ ଓ ମଧ୍ୟମ ବର୍ଗ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଯଦି ମଧ୍ୟ-ପ୍ରାଚ୍ୟ (Middle East) ରେ କୌଣସି ବଡ଼ ସଙ୍କଟ ଦେଖାଦିଏ, ତେବେ ପାକିସ୍ତାନକୁ ବିଦେଶରୁ ମିଳୁଥିବା ଅର୍ଥ (ରେମିଟାନ୍ସ) ପ୍ରଭାବିତ ହୋଇପାରେ। ଏହାଦ୍ୱାରା ଲକ୍ଷ ଲକ୍ଷ ପରିବାରର ଆୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ।
ଶିକ୍ଷା ଉପରେ ସରକାରୀ ଖର୍ଚ୍ଚ ୨୩% ହ୍ରାସ
ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଭଲ ନାହିଁ। ଆର୍ଥିକ ବର୍ଷ ୨୦୨୫ ରେ ଶିକ୍ଷା ଉପରେ ସରକାରୀ ଖର୍ଚ୍ଚ ୨୩% ହ୍ରାସ ପାଇ ୯୬୨ ଅରବ (ବିଲିୟନ) ପାକିସ୍ତାନୀ ଟଙ୍କାକୁ ଖସି ଆସିଛି। ଶିକ୍ଷା ଉପରେ ହେଉଥିବା ସମୁଦାୟ ଖର୍ଚ୍ଚ ଦେଶର ଜିଡିପି (GDP)ର ମାତ୍ର ୦. ୮% ଅଟେ, ଯାହା ପାକିସ୍ତାନ ଇତିହାସରେ ସବୁଠାରୁ ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ବିଶେଷ କରି ଗରିବ ଅଞ୍ଚଳର ଅନେକ ସ୍କୁଲ ଆଜି ବି ମୂଳଭୂତ ସୁବିଧା ସୁଯୋଗର ଅଭାବରୁ ଜୁଝୁଛନ୍ତି। କିଛିଟା ସୁଧାର ଆସିଥିଲେ ମଧ୍ୟ ଲକ୍ଷ ଲକ୍ଷ ପିଲା ଏବେ ବି ସ୍କୁଲ ଯାଇପାରୁ ନାହାନ୍ତି। ମହିଳାମାନଙ୍କ ସାକ୍ଷରତା ହାର ମଧ୍ୟ ସନ୍ତୋଷଜନକ ନୁହେଁ। ସର୍ଭେରେ କୁହାଯାଇଛି ଯେ, ଯଦି ପାକିସ୍ତାନକୁ ଦାରିଦ୍ର୍ୟ ଦୂର କରିବାକୁ ହେବ ଏବଂ ଲୋକଙ୍କ ପାଇଁ ଉତ୍ତମ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ହେବ, ତେବେ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବାକୁ ପଡ଼ିବ। ଶିକ୍ଷାର ଗୁଣବତ୍ତା, ପହଞ୍ଚ ଏବଂ ବ୍ୟବସ୍ଥାରେ ବଡ଼ ଧରଣର ସୁଧାରର ଆବଶ୍ୟକତା ରହିଛି।