ୱାଶିଂଟନ୍: ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ 'ପେଣ୍ଟାଗନ' ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପେଣ୍ଟାଗନ ଭିତରେ ହଠାତ୍ ଜରୁରୀକାଳୀନ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଲ୍ଡିଂର କିଛି ଅଂଶକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ କାର୍ଯ୍ୟାଳୟର ଏକାଧିକ ଫ୍ଲୋରକୁ ତୁରନ୍ତ ଖାଲି କରାଯାଇଛି। ବିପଜ୍ଜନକ ଓ କେମିକାଲ୍ ପଦାର୍ଥ ସହ ମୁକାବିଲା କରୁଥିବା ଏକ ବିଶେଷଜ୍ଞ 'ହାଜମେଟ୍' ଟିମ୍ ଗ୍ୟାସ୍ ମାସ୍କ ଏବଂ କେମିକାଲ୍ ପ୍ରତିରୋଧକ ସୁରକ୍ଷା ଗିଅର୍ ପିନ୍ଧି ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।
'ହାଜମେଟ୍' ଆଲର୍ଟ ପରେ ବିଲ୍ଡିଂ ଲକ୍ଡାଉନ୍
ରିପୋର୍ଟ ଅନୁଯାୟୀ, ବିଲ୍ଡିଂର ବାୟୁ ଗୁଣବତ୍ତାରେ କିଛି ସମସ୍ୟା ଦେଖାଦେଇଥିଲା। ଏହାକୁ ଏକ 'ହାଜମେଟ୍' (ବିପଜ୍ଜନକ ସାମଗ୍ରୀ) ଜନିତ ସମସ୍ୟା ବୋଲି ସନ୍ଦେହ କରାଯାଇଥିଲା, ଯାହା ମନୁଷ୍ୟ ଏବଂ ପରିବେଶ ପାଇଁ ଗୁରୁତର କ୍ଷତି ପହଞ୍ଚାଇଥାଏ। ଏହା ଜଣାପଡ଼ିବା ମାତ୍ରେ ପେଣ୍ଟାଗନର କରିଡର ୪ ରୁ ୭ ମଧ୍ୟରେ ଥିବା ଦ୍ୱିତୀୟରୁ ପଞ୍ଚମ ମହଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିଦିଆଯାଇଥିଲା। ବିଲ୍ଡିଂରେ ଫସି ରହିଥିବା କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୁରକ୍ଷା ପ୍ରୋଟୋକଲ୍ ଲାଗୁ କଲେ ମୁଖପାତ୍ର
ଘଟଣା ସମ୍ପର୍କରେ ସୂଚନା ଦେଇ ପେଣ୍ଟାଗନର ମୁଖପାତ୍ର କହିଛନ୍ତି ଯେ, ବିଲ୍ଡିଂର ସୁରକ୍ଷା ବ୍ୟବସ୍ଥାକୁ ବାୟୁ ପ୍ରଦୂଷଣ ବା କେମିକାଲ୍ ଲିକ୍ ସମ୍ପର୍କିତ ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ଷ୍ଟାଣ୍ଡାର୍ଡ ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରାଯାଇ ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ କୁହାଯାଇଥିଲା। ସ୍ଥିତିର ଯାଞ୍ଚ ପାଇଁ ଟିମ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା।
ଫଲ୍ସ ଆଲାରାମ୍ ଯୋଗୁଁ ହୋଇଥିଲା ବିଭ୍ରାଟ!
ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି 'ରଏଟର୍ସ'ର ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଘଟଣାଟି ଏକ ଭୁଲ୍ ଆଲାରାମ୍ ବାଜିବା ଯୋଗୁଁ ସୃଷ୍ଟି ହୋଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀକାଳୀନ ଆଲାରାମ୍ ବାଜିଉଠିଥିଲା, ଯାହାକୁ ନେଇ କିଛି ସମୟ ପାଇଁ ଭୟର ମାହୋଲ ସୃଷ୍ଟି ହୋଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ସମଗ୍ର ବିଲ୍ଡିଂର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ଏବଂ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।