ନୂଆଦିଲ୍ଲୀ: ଯଦି ପ୍ରତିଥର ମୁହଁ ଖୋଲି ନିଜକୁ ଅପଦସ୍ଥ କରୁଥିବାର ପୁରସ୍କାର ଯଦି କାହାକୁ ଦିଆଯାଏ ତେବେ ସେଥିରେ ପାକିସ୍ତାନ ପ୍ରତିଥର ଜିତିବ । ନିକଟରେ ଏମିତି କିଛି ପାକିସ୍ତାନ ସହ ଘଟିଛି । ଏହାକୁ ନେଇ ଏହି ପଡୋଶୀ ଆତଙ୍କୀ ଦେଶର ଭୟଙ୍କର ଟ୍ରୋଲିଂ ହେଉଛି । ସାମାଜିକ ଗଣମାଧ୍ୟମରେ ଲୋକେ ‘ଜବତକ ସୁରଜ ଚାନ୍ଦ ରହେଗା, ପାକିସ୍ତାନ ବକଲୋତି କରତା ରହେଗା’ ପରି ନାରା ଦେଉଛନ୍ତି ।
ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇଥିଲେ ଯେ, ଯଦି ଭାରତର ସାର୍ବଭୌମତ୍ୱ ବିରୋଧରେ ପାକିସ୍ତାନ କୌଣସି ଦୁଃସାହାସ କରେ ତେବେ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ । ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ସହ କେବଳ ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା ହେବ ତାହା ହେଉଛି ପିଓକେ ଉପରେ । ଏହି ବୟାନରେ ପାକିସ୍ତାନ ରକ୍ତ ଚାଉଳା ଚୋବାଉଛି ।
ଜବାବ ଦେବାକୁ ବାହାରିଥିଲା ପାକିସ୍ତାନ
ବିଳିବିଳେଇ ହେଉଥିବା ପାକିସ୍ତାନ ଭାରତକୁ ଜବାବ ଦେବାକୁ ଉଦ୍ୟମ କରିଛି । ହେଲେ ବିଡମ୍ବନାର ବିଷୟ ଗୋଟିଏ ବି ଶବ୍ଦ ଠିକରେ ଲେଖି ପାରିନି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବୟାନରେ ପ୍ରତିଥର ପରି ଏଥର ମଧ୍ୟ ମିଥ୍ୟା କୁହାଯାଇଛି । କାଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନ ପୁଣି ଥରେ ମିଳିତ ଜାତିସଂଘକୁ ନେଇଯିବା କଥା କହିଛି । ଆଉ ଏହି ଲେଖାରେ ଗୋଟିଏ ତ୍ରୁଟି ସ୍ପେଲିଂ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
ହେଲା ଭୟଙ୍କର ଟ୍ରୋଲିଂ
ସୋସିଆଲ ମିଡିଆ ପ୍ଲାଟଫାର୍ମ ଏକ୍ସରେ ଲୋକେ ତୁରନ୍ତ ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାକିସ୍ତାନ ନିଜର ସରକାରୀ ବୟାନକୁ ମଧ୍ୟ ଠିକରେ ଲେଖି ପାରୁନି । କିଛି ଲୋକେ ଜଣାଇଛନ୍ତି ଯେ, rogueର ସ୍ପେଲିଂକୁ ପାକିସ୍ତାନ rouge ଲେଖି ଦେଇଛି । ଏହାକୁ ନେଇ ଲୋକେ ଅନେକ ପ୍ରତିକ୍ରିୟା ଦେବା ସହ ପାକିସ୍ତାନକୁ ଭୟଙ୍କର ଟ୍ରୋଲିଂ କରିଛନ୍ତି ।