ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ହଦଗଡ଼ ଡ୍ୟାମ୍ରୁ ପ୍ରାୟ ୧୫ଶହ କ୍ୟୁସେକ୍ ପାଣି ଛଡ଼ାଯିବା ପରେ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଲଞ୍ଜାତରା ନିକଟରେ ନଦୀବନ୍ଧରେ ୬୦ ଫୁଟର ବଡ଼ ଘାଇ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ିଯାଇଛି।
ଘାଇ ସୃଷ୍ଟି ହେବା ପରେ ବନ୍ୟା ଜଳ ବିଲଣା, ବାରୋ, କୁବେରା ସମେତ ନିକଟବର୍ତ୍ତୀ ଅନେକ ପଞ୍ଚାୟତର ଚାଷ ଜମିକୁ ମାଡ଼ିଯାଇଛି। ବିଶାଳ ପରିମାଣର କୃଷି ଜମି ଜଳମଗ୍ନ ହେବା ସହ ରୁଆ ଧାନ ଓ ଧାନ ତଳି ନଷ୍ଟ ହେବାରୁ ଚାଷୀମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି। ବର୍ଷସାରାର ପରିଶ୍ରମ ପାଣିରେ ଭାସିଯିବା ଆଶଙ୍କାରେ ଚାଷୀମାନେ ସରକାରୀ ସହାୟତା ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସାଳନ୍ଦୀ କେନାଲ ଡିଭିଜନର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଘାଇକୁ ବନ୍ଦ କରିବା ପାଇଁ ବାଲି ବସ୍ତା ପକାଯିବା ସହ ବଡ଼ ବଡ଼ ପଥର ବ୍ୟବହାର କରାଯାଉଛି। ନଦୀର ପ୍ରବାହକୁ ନିୟନ୍ତ୍ରଣ କରି ଆହୁରି କ୍ଷୟକ୍ଷତି ରୋକିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ନଦୀବନ୍ଧର ଠିକ୍ ଭାବେ ରକ୍ଷଣାବେକ୍ଷଣ ଓ ମରାମତି କରାଯାଇନଥିବାରୁ ଏପରି ବଡ଼ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। ପ୍ରତିବର୍ଷ ବର୍ଷା ଆସିଲେ ଏହି ଅଞ୍ଚଳରେ ସମାନ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଘାଇ ମରାମତି କାମ ଜାରି ରହିଥିବା ବେଳେ ବନ୍ୟା ଜଳ ଯୋଗୁଁ କୃଷି କ୍ଷତିର ସଠିକ୍ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇବାକୁ ଦାବି ଜୋର ଧରିଛି। ଯଦି ବର୍ଷା ଜାରି ରହେ, ତେବେ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।