ନୂଆଦିଲ୍ଲୀ: ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍କୁ ଆଖି ଆଗରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଏକ ବଡ଼ ପରାମର୍ଶ ଆସିଛି। ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତର ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର୍ ଏକ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର ନିୟମିତ ଓପନର୍ ଭାବେ ସାମିଲ କରାଯାଉ ଏବଂ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରନ୍ତୁ।
ପୂର୍ବତନ ୱିକେଟ୍କିପର ବ୍ୟାଟର ଫାରୁଖ ଇଞ୍ଜିନିୟରଙ୍କ ମତରେ, ବୈଭବ ସୂର୍ଯ୍ୟବଂଶୀ ଜଣେ ପ୍ରତିଭାବାନ ମ୍ୟାଚ୍ ୱିନର୍। ସେ କହିଛନ୍ତି ଯେ ବର୍ତ୍ତମାନ ରୋହିତ ଶର୍ମାଙ୍କ ସହ ଓପନିଂ କରୁଥିବା ଶୁଭମନ ଗିଲ୍ଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯିବା ଉଚିତ। ଗିଲ୍ ବଲକୁ ଅଧିକ ସମୟ ମାରି ମାରି ଖେଳନ୍ତି ନାହିଁ । ତେଣୁ ସେ ନମ୍ବର-୪ରେ ଜଣେ ଆଦର୍ଶ ବିକଳ୍ପ ହୋଇ ପାରିବେ । ଏହି କ୍ରମରେ ବ୍ୟାଟିଂ କଲେ ଦଳର ବ୍ୟାଟିଂକ୍ରମ ଆହୁରି ମଜବୁତ ହୋଇ ପାରିବ ।
ଏହାଦ୍ୱାରା ଦଳରେ ବାମହାତୀ ଏବଂ ଡାହାଣହାତୀ ବ୍ୟାଟର ଏକ ଆଦର୍ଶ ଯୋଡ଼ି ମଧ୍ୟ ମିଳିପାରିବ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ସିରିଜ୍ରେ ସର୍ବାଧିକ ୧୫୧ ରନ୍ ସଂଗ୍ରହ କରି 'ପ୍ଲେୟାର୍ ଅଫ୍ ଦି ସିରିଜ୍' ବିବେଚିତ ହୋଇଥିଲେ। ତେଣୁ ଦିନିକିଆ ଓ ଟି-୨୦ ଫର୍ମାଟ୍ ମଧ୍ୟରେ ଅଧିକ ପାର୍ଥକ୍ୟ ନ ରଖି ଏହି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ସାମିଲ କରିବାର ଏହା ହେଉଛି ସଠିକ୍ ସମୟ ବୋଲି ଇଞ୍ଜିନିୟର ମତବ୍ୟକ୍ତ କରିଛନ୍ତି।
Also read; କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିବା ପରେ ସଫଳତାର ଶ୍ରେୟ ପରିବାରର ସମର୍ଥନକୁ ଦେଲେ ମୀରାବାଇ ଚାନୁ