ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ (CSK) ରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେବା ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। କିଛି ସପ୍ତାହ ପୂର୍ବରୁ ସିଏସକେ ସିଇଓ କାଶୀ ବିଶ୍ୱନାଥନ୍ ଏହି ଟ୍ରେଡ୍ ଖବରକୁ ଖଣ୍ଡନ କରିଥିଲେ ସୁଦ୍ଧା, ସାମ୍ନାକୁ ଆସିଥିବା ନୂଆ ରିପୋର୍ଟ ଅନୁସାରେ ଚେନ୍ନାଇ ଟିମ୍ ହାର୍ଦ୍ଦିକଙ୍କୁ ନିଜ ସ୍କ୍ୱାଡ୍ରେ ସାମିଲ କରିବା ପାଇଁ ପୂରା ଦମ୍ ଲଗାଇ ଦେଇଛି।
୨ ଖେଳାଳି ସହ ୧୦ କୋଟି ଟଙ୍କାର ଅଫର୍
ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ହାର୍ଦ୍ଦିକଙ୍କ ବଦଳରେ ଶିବମ୍ ଦୁବେ ଏବଂ ଯୁବ ଓପନର୍ ଆୟୁଷ ମ୍ହାତ୍ରେଙ୍କୁ ମାଗିଥିଲା। ମାତ୍ର ସିଏସକେ ନିଜର ୧୯ ବର୍ଷୀୟ ତାରକା ଓପନର୍ ଆୟୁଷଙ୍କୁ ଛାଡ଼ିବାକୁ ରାଜି ହୋଇନଥିଲା। ଏହା ବଦଳରେ ଚେନ୍ନାଇ ଏକ କାଉଣ୍ଟର ଅଫର୍ ଦେଇଛି, ଯେଉଁଥିରେ ସେମାନେ ଶିବମ୍ ଦୁବେ, ଡେଓ୍ଵାଲ୍ଡ ବ୍ରେଭିସ୍ ଏବଂ ନଗଦ ୧୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ଏହି ଚୁକ୍ତି ପକ୍କା ହୁଏ, ତେବେ ଏହା ୨୦ କୋଟିରୁ ଅଧିକ ଟଙ୍କାର ବଡ଼ ଡିଲ୍ ହେବ।
ଟିମ୍ ପାଇଁ ହାର୍ଦ୍ଦିକ ‘ଟୋଟାଲ୍ ପ୍ୟାକେଜ୍’
ଭାରତୀୟ କ୍ରିକେଟ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡର ମିଳିବା ବେଶ୍ କଷ୍ଟକର, ଯିଏ ମିଡିଲ୍ ଓଡ଼ର ବ୍ୟାଟିଂ, ଫିନିସର୍ ଭୂମିକା ସହ ୪ ଓଭର ବୋଲିଂ ଏବଂ ଅଧିନାୟକତ୍ୱ କରିପାରନ୍ତି। ଯଦିଓ ମୁମ୍ବାଇ ପାଇଁ ତାଙ୍କ ଅଧିନାୟକ୍ଵରେ ବିଶେଷ ସଫଳ ହୋଇନାହିଁ, ମାତ୍ର ୨୦୨୨ରେ ଗୁଜରାଟ ଟାଇଟନ୍ସକୁ ନିଜ ନେତୃତ୍ୱରେ ଆଇପିଏଲ୍ ଚାମ୍ପିଅନ୍ କରାଇଥିଲେ ହାର୍ଦ୍ଦିକ। ଏହି ସବୁ ଗୁଣ ପାଇଁ CSK ତାଙ୍କୁ ଦଳରେ ନେବାକୁ ଚେଷ୍ଟା କରୁଛି।