ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳର ଦମଦାର ବିଜୟ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଶାଣିତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍କୁ ଏକତରଫା ଭାବେ ଜିତି ନେବା ସହ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ ଏହି ସହଜ ବିଜୟର ମୁଖ୍ୟ ନାୟକ ସାଜିଥିଲେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ଵେ ୧୨୫ ରନ କରିଥିଲା। ଜବାବରେ ଭାରତ ୧୩.୨ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।
୧୨୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଓପନର ଅଭିଷେକ ଶର୍ମାଙ୍କୁ ଶୀଘ୍ର ହରାଇ ଚାପରେ ପଡ଼ିଥିଲା। କିନ୍ତୁ ବ୍ୟାଟିଂ କରିବାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ବଲରୁ ହିଁ ଜିମ୍ବାୱେ ବୋଲରଙ୍କ ଉପରେ କଡ଼ା ପ୍ରହାର ଆରମ୍ଭ କରିଥିଲେ। ସେ ମାତ୍ର ୧୯ଟି ବଲରେ ୪ଟି ଚୌକା ଓ ୪ଟି ଛକା ସହାୟତାରେ ନିଜର ବିସ୍ଫୋରକ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ଏହି ନିର୍ଭୀକ ଇନିଂସ ବଳରେ ଭାରତୀୟ ଦଳ ପାୱାରପ୍ଲେ ମଧ୍ୟରେ ହିଁ ବିଜୟ ନିକଟତର ହୋଇଯାଇଥିଲା।
ବୈଭବଙ୍କ ବିସ୍ଫୋରକ ଇନିଂସ ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ୱିକେଟକିପର ବ୍ୟାଟର ଇଶାନ କିଷନ ଦଳକୁ ସହଜରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଇଶାନ ୩୫ ରନର ଉଲ୍ଲେଖନୀୟ ପାରି ଖେଳିଥିବା ବେଳେ ଆୟର ୨୮ ରନ କରି ଅପରାଜିତ ରହିଥିଲେ। ଟିମ୍ ଇଣ୍ଡିଆ ମାତ୍ର ୧୩.୨ ଓଭରରେ ୭ ୱିକେଟ୍ ବାକି ଥାଇ ମ୍ୟାଚ୍ ନିଜ ନାମରେ କରିଥିଲା।
ବୋଲରଙ୍କ ଦମଦାର ପ୍ରଦର୍ଶନ
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ଦଳ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ସମ୍ମୁଖରେ ସଂଘର୍ଷ କରିଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୫ ରନ୍ରେ ସୀମିତ ରହିଥିଲା। ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ବିରୋଧୀ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାର ସୁଯୋଗ ଦେଇନଥିଲେ, ଯାହା ପରବର୍ତ୍ତୀ ସମୟରେ ବ୍ୟାଟରଙ୍କ ପାଇଁ କାମ ସହଜ କରିଦେଇଥିଲା।