ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନର ଶୀର୍ଷ ପଦବୀରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ଅଗଷ୍ଟ ୧୬ ତାରିଖରେ ନିଜ କାର୍ଯ୍ୟକାଳ ଶେଷ କରି ଅବସର ନେବେ ରାଜ୍ୟ ପୋଲିସ ମୁଖ୍ୟ (DGP) ୱାଇ.ବି. ଖୁରାନିଆ। ତାଙ୍କ ଅବସର ପ୍ରସ୍ତାବ ଉପରେ ରାଜ୍ୟ ସରକାର ଅନୁମୋଦନ ଦେଇଥିବା ବେଳେ ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨ ବର୍ଷର କାର୍ଯ୍ୟକାଳ ପୂରଣ ପରେ ଅବସର
୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ ଅଫିସର ୱାଇ.ବି. ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ ବର୍ଷ ବୟସ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ନିୟମ ଥିଲା। ତେବେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ଅନ୍ତତଃ ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ନିୟମାବଳୀ ଅନୁଯାୟୀ ତାଙ୍କୁ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। ଏହି ନିର୍ଦ୍ଧାରିତ ସମୟସୀମା ଶେଷ ହେବାକୁ ଯାଉଥିବାରୁ ସରକାର ତାଙ୍କ ଅବସର ପ୍ରକ୍ରିୟାକୁ ଚୂଡ଼ାନ୍ତ ମଞ୍ଜୁରୀ ଦେଇଛନ୍ତି।
UPSC ନିକଟକୁ ଗଲାଣି ୧୧ ଜଣଙ୍କ ନାମ
ନୂଆ ଡିଜିପି ଚୟନ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ଗତ ମେ ୧୪ ତାରିଖରେ ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ନିର୍ଦ୍ଧାରିତ ଫର୍ମାଟ୍ରେ ସଂଘ ଲୋକସେବା ଆୟୋଗ (UPSC) ନିକଟରେ ଦାଖଲ କରିସାରିଛନ୍ତି। ୟୁପିଏସସି ଏହି ନାମଗୁଡ଼ିକୁ ତର୍ଜମା କରି ବରିଷ୍ଠତା ଓ ସେବା ରେକର୍ଡ ଆଧାରରେ ୩ ଜଣଙ୍କ ନାମ ସୁପାରିଶ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ।
ରେସ୍ରେ କାହାର ନାଁ ଆଗରେ?
ୟୁପିଏସସି ପକ୍ଷରୁ ଆସିବାକୁ ଥିବା ୩ ଜଣିଆ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ବରିଷ୍ଠତା ଓ ପ୍ରଶାସନିକ ଦକ୍ଷତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚ୍ର ସୁଶାନ୍ତ କୁମାର ନାଥ ଏବଂ ଆର.ପି. କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି ରେସ୍ରେ ସବୁଠାରୁ ଆଗରେ ରହିଥିବା ସୂଚନା ମିଳିଛି। ୟୁପିଏସସି ସୁପାରିଶ ପାଇବା ପରେ ରାଜ୍ୟ ସରକାର ନୂଆ ପୋଲିସ ମୁଖ୍ୟଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।