ବରଗଡ: ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ବିଲ୍ ପାସ୍ କରାଇବା ପାଇଁ ଘୁଷ ଦାବି କରି ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ବରଗଡ଼ ଜିଲ୍ଲା ଭଟଲି ସବ୍-ଟ୍ରେଜେରୀର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ରାଜେନ୍ଦ୍ର ନାରାୟଣ ମେହେରଙ୍କୁ ବରଗଡ଼ ଭିଜିଲାନ୍ସ କୋର୍ଟ କଡ଼ା ଦଣ୍ଡ ଶୁଣାଇଛନ୍ତି। ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ୪ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, ଭଟଲି ସବ୍-ଟ୍ରେଜେରୀରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ରାଜେନ୍ଦ୍ର ନାରାୟଣ ମେହେର ଜଣେ ସିଆରସିସି (CRCC)ଙ୍କ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟ୍ରାପ୍ କରି ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତ ଧରିଥିଲା। ପରେ ଏହି ଘଟଣାରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା।
ମାମଲାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବରଗଡ଼ ଭିଜିଲାନ୍ସ କୋର୍ଟ ରାଜେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଏହି ରାୟ ପରେ ଦୋଷୀଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସମ୍ପୃକ୍ତ ପ୍ରାଧିକରଣଙ୍କ ନିକଟରେ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଏହି ରାୟକୁ ଦୁର୍ନୀତି ବିରୋଧୀ ଲଢ଼େଇରେ ଏକ କଡ଼ା ବାର୍ତ୍ତା ବୋଲି କୁହାଯାଉଛି।