ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତ ନିଜର ନିର୍ଦ୍ଧାରିତ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ହିଁ ୨୦% ିଥାନୋଲ୍ ବ୍ଲେଣ୍ଡିଂ (ମିଶ୍ରଣ) ଲକ୍ଷ୍ୟ ହାସଲ କରିସାରିଛି।
କେନ୍ଦ୍ରୀୟ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସଂସଦରେ ଉତ୍ତର ଦେଇଛନ୍ତି ଯେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନୋଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବୈଷୟିକ ସ୍ତରରେ ଉନ୍ନତ ଇନ୍ଧନ। ସେ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କର ପୁଣି ଥରେ E0 (ଇଥାନୋଲ୍ ବିନା ପେଟ୍ରୋଲ୍) କିମ୍ବା E10 ପେଟ୍ରୋଲକୁ ଫେରିବାର କୌଣସି ପ୍ରସ୍ତାବ ନାହିଁ। ସରକାରଙ୍କ ନୀତି ହେଉଛି ଏକ ଶ୍ରେଷ୍ଠ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଡ଼କୁ ଆଗେଇବା, ନା କି କୌଣସି ନିମ୍ନ ମାନର ସ୍ତରକୁ ଫେରିବା।
ଇଞ୍ଜିନ୍ ଖରାପ ହେବା ଆଶଙ୍କାକୁ କଲେ ଖାରଜ
ସୋସିଆଲ୍ ମିଡିଆ ଏବଂ ମିଡିଆରେ ଆସୁଥିବା ଇଞ୍ଜିନ୍ ଖରାପ ହେବା କିମ୍ବା ମାଇଲେଜ୍ କମିଯିବା ଖବର ଉପରେ ସରକାର କହିଛନ୍ତି ଯେ ବ୍ୟାପକ ଗବେଷଣାଗାର ପରୀକ୍ଷଣ, ଫିଲ୍ଡ ଯାଞ୍ଚ (NITI Aayog, IOCL, ARAI, IIP ଏବଂ SIAM ଦ୍ୱାରା ପରିଚାଳିତ) ଏବଂ ବାସ୍ତବ ବ୍ୟବହାରର ତଥ୍ୟରୁ ଏହା ପ୍ରମାଣିତ ହୋଇସାରିଛି ଯେ E20 ଇନ୍ଧନ ଦ୍ୱାରା ଗାଡ଼ି କିମ୍ବା ଇଞ୍ଜିନ୍ର କୌଣସି ଅସାଧାରଣ କ୍ଷତି ହୋଇନଥାଏ। ଦେଶର ଜଣେ ପ୍ରମୁଖ ପାସେଞ୍ଜର ଭେଲିକ୍ ନିର୍ମାତା ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ୨.୮୪ କୋଟି ଗାଡ଼ିର ସର୍ଭିସିଂ କରିଥିଲେ, ଯେଉଁଥିରେ ପ୍ରାୟ ୧.୫ କୋଟି ପୁରୁଣା (non-E20 ପ୍ରମାଣିତ) ଗାଡ଼ି ସାମିଲ ଥିଲା, ଏବଂ ଏଥାନୋଲ୍ କାରଣରୁ ଇଞ୍ଜିନ୍ ଖରାପ ହେବାର କୌଣସି ଅଭିଯୋଗ ସାମ୍ନାକୁ ଆସିନାହିଁ। ବର୍ତ୍ତମାନ ୨୦ କୋଟିରୁ ଅଧିକ ଦୁଇଚକିଆ ଏବଂ ୩ କୋଟିରୁ ଅଧିକ ପେଟ୍ରୋଲ୍ କାର୍ E15+ ଏବଂ E20 ବ୍ଲେଣ୍ଡରେ କୌଣସି ବଡ଼ ଖରାପ ବିନା ଚାଲୁଛି।
ମାଇଲେଜ୍ ଏବଂ ପରଫରମାନ୍ସ ଉପରେ ପ୍ରଭାବ
ମାଇଲେଜ୍ ସମ୍ପର୍କରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଇନ୍ଧନ କ୍ଷମତା ଅନେକ କାରକ ଉପରେ ନିର୍ଭର କରେ—ଯେପରି ଗାଡ଼ି ଚାଳନାର ଅଭ୍ୟାସ, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ରାସ୍ତାର ସ୍ଥିତି। ପୁରୁଣା E10 ଡିଜାଇନ୍ ଥିବା ଗାଡ଼ିଗୁଡ଼ିକରେ E20 ଯୋଗୁଁ ମାଇଲେଜ୍ରେ ସର୍ବାଧିକ ୩ ରୁ ୫ ପ୍ରତିଶତର ସାମାନ୍ୟ ହ୍ରାସ ଘଟିପାରେ। ତଥାପି, E20 ଇନ୍ଧନର ଅକ୍ଟେନ୍ ନମ୍ବର (Octane Rating) ଅଧିକ ଥାଏ, ଯାହାଫଳରେ ଗାଡ଼ିର ପିକ୍-ଅପ୍ (acceleration), ରାଇଡ୍ କ୍ୱାଲିଟି ଏବଂ ଇଞ୍ଜିନ୍ ପରଫରମାନ୍ସ ଅଧିକ ଭଲ ହୋଇଥାଏ।
ଦେଶ ଏବଂ ଚାଷୀଙ୍କୁ ବିପୁଳ ଆର୍ଥିକ ଲାଭ:
• ବୈଦେଶିକ ମୁଦ୍ରା ସଞ୍ଚୟ: ୧.୯୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି।
• କଚ୍ଚା ତେଲ ଆମଦାନୀ ହ୍ରାସ: ପ୍ରାୟ ୩୧୬ ଲକ୍ଷ ମେଟ୍ରିକ୍ ଟନ୍ କଚ୍ଚା ତେଲ ଆମଦାନୀ କମିଛି।
• କାର୍ବନ ନିର୍ଗମନ କ୍ରମଶଃ ହ୍ରାସ: ପ୍ରାୟ ୯୫୨ ଲକ୍ଷ ମେଟ୍ରିକ୍ ଟନ୍ CO2 ନିର୍ଗମନ କମିଛି।
• ଚାଷୀ କଲ୍ୟାଣ: ଦେଶର ଚାଷୀମାନଙ୍କୁ ୧.୬୬ ଲକ୍ଷ କୋଟିରୁ ଅଧିକ ଟଙ୍କା ପୈଠ କରାଯାଇଛି।
ଅଭିଯୋଗ ନିବାରଣ ଏବଂ ଉପଭୋକ୍ତା ସହାୟତା
ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) E20 ସହ ଜଡ଼ିତ ଅଭିଯୋଗ ଏବଂ ପରାମର୍ଶର ସମାଧାନ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ଗଠନ କରିଛନ୍ତି। ଉପଭୋକ୍ତାମାନେ ପେଟ୍ରୋଲ ପମ୍ପଗୁଡ଼ିକରେ ରଖାଯାଇଥିବା ଅଭିଯୋଗ ପୁସ୍ତିକା, ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର, କମ୍ପାନୀ ୱେବସାଇଟ୍, ମୋବାଇଲ୍ ଆପ୍, ସୋସିଆଲ୍ ମିଡିଆ ଏବଂ CPGRAMS ପୋର୍ଟାଲ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ, ଯାହାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଉଛି।