ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମେଘାଳୟ 'ହନିମୁନ୍ ହତ୍ୟାକାଣ୍ଡ' ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା। ସୁପ୍ରିମକୋର୍ଟ ସୋନମଙ୍କ ଜାମିନ୍ ରଦ୍ଦ କରିବା ସହ ତାଙ୍କୁ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ.ଏମ. ସୁନ୍ଦରେଶ ଏବଂ ଜଷ୍ଟିସ ପି.ବି. ୱରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ମେଘାଳୟ ସରକାରଙ୍କ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ସୁପ୍ରିମକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅଭିଯୁକ୍ତ ଜାମିନରେ ରହିଲେ ମାମଲାର ବିଚାର ପ୍ରକ୍ରିୟା ଓ ସାକ୍ଷୀ ପ୍ରମାଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେବେ ଯଦି ଆଗାମୀ ୬ ମାସ ମଧ୍ୟରେ ନିମ୍ନ ଅଦାଲତରେ ଏହି ମାମଲାର ବିଚାର କାର୍ଯ୍ୟ ଶେଷ ନହୁଏ, ତେବେ ସୋନମ ପୁନର୍ବାର ଜାମିନ ଆବେଦନ ଦାଖଲ କରିବାକୁ ସ୍ୱାଧୀନ ରହିବେ।
ହାଇକୋର୍ଟଙ୍କ ରାୟକୁ କାହିଁକି ଚ୍ୟାଲେଞ୍ଜ କରାଯାଇଥିଲା?
ପୂର୍ବରୁ ମେଘାଳୟ ହାଇକୋର୍ଟ ସୋନମଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଗିରଫ ପରୱାନା କିମ୍ବା ମେମୋରେ ଭାରତୀୟ ନ୍ୟାୟ ସଂହିତା (BNS)ର ହତ୍ୟା ସମ୍ପର୍କିତ ଧାରା ୧୦୩(୧) ବଦଳରେ ଭୁଲବଶତଃ ୪୦୩(୧) ଲେଖାଯାଇଥିବା ଦର୍ଶାଇ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ। ତେବେ ମେଘାଳୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଏହା କେବଳ ଏକ ଟାଇପିଂ ତ୍ରୁଟି ଥିଲା, ଯାହା ଆଧାରରେ ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା ଉଚିତ ନୁହେଁ। ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ସୋନମଙ୍କ ଜାମିନକୁ ରଦ୍ଦ କରିବା ସହ ତାଙ୍କୁ ଜେଲ୍ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Also Read: ଦିଲ୍ଲୀ ମେଟ୍ରୋର ୧୬ ଷ୍ଟ୍ରେସନ ବନ୍ଦ କରିବା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, ସିଜେଆଇ କହିଲେ- ଯଦି ଲଞ୍ଚ ସୁଦ୍ଧା...