ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟିର ଜନ୍ତର ମନ୍ତରରେ ପେପର ଲିକ୍ ପ୍ରତିବାଦରେ ଚାଲିଥିବା ପ୍ରଦର୍ଶନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମେଟ୍ରୋ ରେଲ କର୍ପୋରେସନ(ଡିଏମଆରସି) ୧୬ ଷ୍ଟେସନକୁ ବନ୍ଦ କରିବାକୁ ଘୋଷଣା କରିଥିଲା । ଏହାରି ଆଧାରରେ ଜୁଲାଇ ୨୨ରେ ଏହି ସବୁ ଷ୍ଟେସନକୁ ବନ୍ଦ ମଧ୍ୟ ରଖାଯାଇଥିଲା । ଏହାକୁ ନେଇ ଏବେ ସୁପ୍ରିମକୋର୍ଟ ବେଶ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବେଶ କଡା ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଯଦି ମଧ୍ୟାହ୍ନ ସୁଦ୍ଧା କିଛି ନ ହୁଏ ତେବେ ଆମେ ଦଖଲ ଦେବୁ ।
ସୁପ୍ରିମକୋର୍ଟ ବାର ଆସୋସିଏସନ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯିବା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲା । ଏହି ଯାଚିକାରେ ମେଟ୍ରୋ ଷ୍ଟେସନ ଭିତରେ ଓକିଲ, ପ୍ରତିପକ୍ଷ ଏବଂ ଅଦାଲତର କର୍ମଚାରୀଙ୍କୁ ସୀମିତ ପ୍ରବେଶ ଦେବାକୁ ଅପିଲ୍ କରାଯାଇଥିଲା । ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଓକିଲଙ୍କ ଅନୁପସ୍ଥିତି କାରଣରୁ ଆଜି କୌଣସି ପ୍ରତିକୂଳ ଆଦେଶ ପାରିତ ହେବ ନାହିଁ । ଯଦି ମଧ୍ୟାହ୍ନ ସୁଦ୍ଧା ସମାଧାନ ନ ହୁଏ ତେବେ ଆମେ ଏହା ଉପରେ ହସ୍ତକ୍ଷେପ କରିବୁ ।
ଦିଲ୍ଲୀ ମେଟ୍ରୋ ଆଜି ସକାଳ ୭ଟା ୩୦ରେ ରାଜୀବ ଚୌକ, ସୁପ୍ରିମକୋର୍ଟ, ମଣ୍ଡି ହାଉସ ଓ ଆଇଟିଓ ସମେତ ୧୬ ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା । ଦିଲ୍ଲୀ ମେଟ୍ରୋ ପକ୍ଷରୁ କରାଯାଇଥିବା ପୋଷ୍ଟ ମୁତାବକ, ଲୋକ କଲ୍ୟାଣ ମାର୍ଗ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ, ସେବା ତୀର୍ଥ, ଜନପଥ, କେନ୍ଦ୍ରୀୟ ସଚିବାଳୟ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ୍, ଜୋର ବାଗ ଓ ଶିବାଜୀ ଷ୍ଟାଡିୟମ ମେଟ୍ରୋ ଷ୍ଟେସନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଉଛି । ହେଲେ ଏବେ ସୁପ୍ରିମକୋର୍ଟର ଛାଟ ଦିଲ୍ଲୀ ମେଟ୍ରୋ ଉପରେ ପଡିଛି ।
Also Read: 'ହାଇକୋର୍ଟ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ ନୁହେଁ'