ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଜନ୍ତର ମନ୍ତରରେ ଚାଲିଥିବା CJP ଆନ୍ଦୋଳନ ସମୟରେ ପୁଣି ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଘଟଣାସ୍ଥଳରେ ଅସାମାଜିକ ତତ୍ତ୍ୱଙ୍କ ପକ୍ଷରୁ ବ୍ୟାପକ ପଥରମାଡ଼ କରାଯିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି।
ଆକ୍ରମଣରେ ଏସିପି ଓ ପୋଲିସକର୍ମୀ ରକ୍ତାକ୍ତ
ସୂଚନା ଅନୁଯାୟୀ, କନୋଟ୍ ପ୍ଲେସ୍ ନିକଟସ୍ଥ ପାର୍କ ହୋଟେଲ୍ ସାମ୍ନାରେ କିଛି ବିକ୍ଷୋଭକାରୀ ପୋଲିସ କର୍ମଚାରୀଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା କନୋଟ୍ ପ୍ଲେସ୍ର ଏସିପି ବିବେକ ଭଗତଙ୍କ ମୁଣ୍ଡରେ ଠେଙ୍ଗାରେ ଶକ୍ତ ଆଘାତ ଲାଗିଛି। ତାଙ୍କ ସମେତ ୨ ଜଣ ଇନ୍ସପେକ୍ଟର, ଏକାଧିକ ସୁରକ୍ଷାକର୍ମୀ ଏବଂ NSUI ର କିଛି କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ଆହତ ଏସିପିଙ୍କୁ ତୁରନ୍ତ ଆରଏମଏଲ୍ (RML) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଇଣ୍ଟରନେଟ୍ ବନ୍ଦ ଓ ଷଡ଼ଯନ୍ତ୍ର ସନ୍ଦେହ
ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ରାତି ପ୍ରାୟ ୯ଟାରେ ଜନ୍ତର ମନ୍ତର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ତେବେ ଇଣ୍ଟରନେଟ୍ ବ୍ୟାନ ସତ୍ତ୍ୱେ ଏହି ଅଞ୍ଚଳରେ ପ୍ରଚୁର ପରିମାଣରେ SMS ଏବଂ ମେସେଜିଂ ଆଦାନପ୍ରଦାନ ହେଉଥିବା ପୋଲିସ ନଜରକୁ ଆସିଛି। ହିଂସା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର କିମ୍ବା ନିର୍ଦ୍ଦେଶ ରହିଛି କି ନାହିଁ, ସେ ନେଇ ପୋଲିସ ଛାନ୍ବିନ୍ ଆରମ୍ଭ କରିଛି।
ରାଜନୈତିକ ହଲଚଲ
ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। ଇଣ୍ଟରନେଟ୍ ବନ୍ଦ କରିବା ଘଟଣାକୁ କଂଗ୍ରେସ ବିରୋଧ କରିବା ସହ ଏହାକୁ 'ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରହାର' ବୋଲି କହିଛି। ଅପରପକ୍ଷରେ ଆପ୍ (AAP) ନେତା ସଞ୍ଜୟ ସିଂହ, ସୌରଭ ଭାରଦ୍ୱାଜ ଏବଂ JMM ସାଂସଦ ମହୁଆ ମାଜି ଜନ୍ତର ମନ୍ତରରେ ପହଞ୍ଚି ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି। ଘଟଣାସ୍ଥଳରେ ରାପିଡ୍ ଆକ୍ସନ୍ ଫୋର୍ସ (RAF) ଏବଂ ଦିଲ୍ଲୀ ପୋଲିସର ଅତିରିକ୍ତ ବାହିନୀ ମୁତୟନ ଅଛନ୍ତି। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା ପୋଲିସ ସୂଚନା ଦେଇଛି।