ନୂଆଦିଲ୍ଲୀ: NEET-UG ପରୀକ୍ଷା ପ୍ରଶ୍ନପତ୍ର ପ୍ରକାଶ ଓ ଦିଲ୍ଲୀରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବରିଷ୍ଠ ସମାଜସେବୀ ଅନ୍ନା ହଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି। ଗଣତନ୍ତ୍ରରେ ଜନସାଧାରଣଙ୍କ ସ୍ୱରକୁ ଦବାଇବା ବଦଳରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଚିଠିରେ ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ଯେତେବେଳେ କୌଣସି ବିଭାଗରେ ବଡ଼ ଧରଣର ବିଶୃଙ୍ଖଳା ଦେଖାଦିଏ, ସେତେବେଳେ କେବଳ ତଳତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୀର୍ଷ ପଦବୀରେ ଥିବା ନେତା ବର୍ତ୍ତିଯିବା ଉଚିତ ନୁହେଁ। ପ୍ରଶାସନିକ ସ୍ୱଚ୍ଛତା ପାଇଁ ଶୀର୍ଷ ନେତୃତ୍ୱଙ୍କୁ ନିଜର ଦାୟିତ୍ୱ ସ୍ୱୀକାର କରିବାକୁ ପଡ଼ିବ।
ଆନ୍ଦୋଳନକାରୀ ଛାତ୍ର ଓ ଅଭିଭାବକମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାକୁ ପରୋକ୍ଷରେ ସମର୍ଥନ କରି ଅନ୍ନା ଲେଖିଛନ୍ତି ଯେ, ଦାୟିତ୍ୱ ନିର୍ଦ୍ଧାରଣ କରି କୌଣସି ମନ୍ତ୍ରୀଙ୍କ ପଦତ୍ୟାଗ ନିଆଗଲେ ସରକାର କ୍ଷମତାଚ୍ୟୁତ ହୋଇଯାଏ ନାହିଁ। ବରଂ ଏହା ଅନ୍ୟ ମନ୍ତ୍ରୀମାନଙ୍କ ନିକଟକୁ ଏକ କଠୋର ବାର୍ତ୍ତା ପଠାଇବ ଯେ ନିଜ ବିଭାଗର କାର୍ଯ୍ୟ ସଠିକ୍ ଭାବେ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହା ଶେଷରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବ।
ଏହା ସହିତ ପରୀକ୍ଷା ପରିଚାଳନାରେ ଅନିୟମିତତା ଯୋଗୁଁ ନିରାଶାରେ ୨୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିବା ଘଟଣାରେ ଅନ୍ନା ହଜାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଯୁବକଯୁବତୀଙ୍କ ଉପରେ ପୋଲିସର ଲାଠିଚାଲନା ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଅନଶନ ସ୍ଥଳରୁ ବଳପୂର୍ବକ ହଟାଯିବା ନେଇ ସେ ସରକାରଙ୍କ ଗଣତାନ୍ତ୍ରିକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସରକାର ଯୁବପିଢ଼ିଙ୍କ ଆକ୍ରୋଶକୁ କେବଳ ଆଇନ ଶୃଙ୍ଖଳା ସମସ୍ୟା ଭାବେ ନଦେଖି ତୁରନ୍ତ ଆଲୋଚନା ପ୍ରକ୍ରିୟା ଆରମ୍ଭ କରନ୍ତୁ। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ଅହିଂସାର ନୀତିକୁ ଆଧାର କରି ଗଣତାନ୍ତ୍ରିକ ମୂଲ୍ୟବୋଧ ଭିତରେ ରହି ଏହି ଗମ୍ଭୀର ସମସ୍ୟାର ସମାଧାନ ବାହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।