ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ପ୍ରତିଷ୍ଠାତା ତଥା ପ୍ରଥମ ଚେୟାରମ୍ୟାନ୍ ଲଲିତ ମୋଦୀଙ୍କ ପାଇଁ ଆସିଛି ଏକ ବଡ଼ ଆଇନଗତ ଆଶ୍ୱସ୍ତି। ୨୦୦୯ ଆଇପିଏଲ୍ ସାଉଥ୍ ଆଫ୍ରିକା ସଂସ୍କରଣ ସହ ଜଡ଼ିତ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଲଗାଯାଇଥିବା ଅଧିକାଂଶ ଅଭିଯୋଗ ଓ ଜୋରିମାନାକୁ ରଦ୍ଦ କରିଛନ୍ତି SAFEMA (ସେଫ୍ମା) ଆପିଲେଟ୍ ଟ୍ରିବ୍ୟୁନାଲ୍। ଏହି ବଡ଼ ସଫଳତା ପରେ ଲଲିତ ମୋଦୀ ୧୬ ବର୍ଷର ଦୀର୍ଘ ଅପେକ୍ଷା ପରେ ପୁଣି ଭାରତ ଫେରିବାକୁ ଘୋଷଣା କରିଛନ୍ତି।
ସତ୍ୟର ଜୟ ହେଲା
ଟ୍ରିବ୍ୟୁନାଲଙ୍କ ରାୟ ଆସିବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଲଲିତ ମୋଦୀ କହିଛନ୍ତି, "ମୁଁ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ଖୁସି। ୧୬ ବର୍ଷ ଧରି ମୁଁ ଯେଉଁ ସତ କହିଆସୁଥିଲି, ଆଜି ଆଦାଲତ ତାହା ଉପରେ ମୋହର ମାରିଛନ୍ତି। ମୋର ଏକମାତ୍ର ଲକ୍ଷ୍ୟ ଆଇପିଏଲ୍ର ହିତ ଥିଲା। ଏବେ ସେହି ପୁରୁଣା ଅଧ୍ୟାୟ ଶେଷ ହୋଇଛି ଏବଂ ମୁଁ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି। ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ମୁଁ ଭାରତ ଫେରିବି।"
କ’ଣ ଥିଲା ପୂରା ମାମଲା ?
୨୦୦୯ ମସିହାରେ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ସୁରକ୍ଷା କାରଣରୁ ଆଇପିଏଲର ଦ୍ୱିତୀୟ ସଂସ୍କରଣକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ବିସିସିଆଇ ପକ୍ଷରୁ ବିଦେଶକୁ କରାଯାଇଥିବା ବିଦେଶୀ ମୁଦ୍ରା କାରବାରରେ ରିଜର୍ଭ ବ୍ୟାଙ୍କର ପୂର୍ବ ଅନୁମତି ନନେଇ FEMA ନିୟମ ଉଲ୍ଲଂଘନ କରାଯାଇଥିବା ED ଅଭିଯୋଗ କରିଥିଲା। ୨୦୧୮ରେ ED ଲଲିତ ମୋଦୀ ଓ ବିସିସିଆଇର ଅନ୍ୟ କର୍ମକର୍ତ୍ତାଙ୍କ ଉପରେ କୋଟି କୋଟି ଟଙ୍କାର ଜୋରିମାନା ଲଗାଇଥିଲା।
ଟ୍ରିବ୍ୟୁନାଲ୍ଙ୍କ ମୁଖ୍ୟ ନିଷ୍ପତ୍ତି
SAFEMA ଆପିଲେଟ୍ ଟ୍ରିବ୍ୟୁନାଲ୍ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଏହି କାରବାରଗୁଡ଼ିକ କରେଣ୍ଟ ଆକାଉଣ୍ଟ ସମ୍ବନ୍ଧୀୟ ଥିଲା, ଯେଉଁଥିପାଇଁ ପୂର୍ବରୁ ଆରବିଆଇର ବିଶେଷ ଅନୁମତି ଅପରିହାର୍ଯ୍ୟ ନଥିଲା। ଏଥିସହିତ, ଲଲିତ ମୋଦୀ ବିସିସିଆଇର ଆଇନଗତ ନିୟମ ପାଳନ ପାଇଁ ସିଧାସଳଖ ଦାୟୀ ନଥିଲେ। ଫଳରେ ED ଦ୍ୱାରା ଲଗାଯାଇଥିବା ଜୋରିମାନା ଆଇନଗତ ଭାବେ ଅସିଦ୍ଧ ବୋଲି ଟ୍ରିବ୍ୟୁନାଲ୍ ଦର୍ଶାଇଛନ୍ତି। ୨୦୧୦ ରୁ ବିଦେଶରେ ରହୁଥିବା ଲଲିତ ମୋଦୀଙ୍କ ପାଇଁ ଏହା ଏକ ବଡ଼ ଆଇନଗତ ବିଜୟ ହୋଇଥିବା ବେଳେ ତାଙ୍କର ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ କ୍ରିକେଟ୍ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।