ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ସିରିଜ୍ ପରେ ଦିନିକିଆ କ୍ରିକେଟରୁ ବିଦାୟ ନେଇପାରନ୍ତି ବୋଲି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ବିସିସିଆଇ ସଚିବ ଏହି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ମଧ୍ୟ ରୋହିତ ୨୦୨୭ ବିଶ୍ୱକପ୍ ଖେଳିବେ କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲା। ଏବେ ଏହି ସମସ୍ତ ଗୁଜବ ଓ ସନ୍ନ୍ୟାସ ଖବର ଉପରେ ନିଜେ 'ହିଟ୍ମ୍ୟାନ୍' ରୋହିତ ଶର୍ମା ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଏକ ଦମଦାର ଶତକୀୟ ପାଳି ଖେଳିଛନ୍ତି। ସେ ମାତ୍ର ୧୧୦ଟି ବଲ୍ରୁ ୫ଟି ଛକା ଏବଂ ୧୭ଟି ଚୌକା ସହାୟତାରେ ୧୩୮ ରନ୍ ସଂଗ୍ରହ କରିଥିଲେ। ଏହା ସହିତ କ୍ରିକେଟର ମେକ୍କା କୁହାଯାଉଥିବା ଲର୍ଡସ ମୈଦାନରେ ଦିନିକିଆ ଶତକ ହାସଲ କରିବାରେ ରୋହିତ ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ପାଳି ସମୟରେ ସେ ଶୁଭମନ ଗିଲ୍ ଓ ବିରାଟ କୋହଲିଙ୍କ ସହ ବଡ଼ ସାଝେଦାରୀ ମଧ୍ୟ କରିଥିଲେ।
ବାହାର ଚର୍ଚ୍ଚାକୁ ରୋହିତଙ୍କ ସିଧା ଜବାବ
ମ୍ୟାଚ୍ ଶେଷ ହେବା ପରେ ସନ୍ନ୍ୟାସ ଖବରକୁ ନେଇ ରୋହିତ କହିଛନ୍ତି, "ମୋର କାମ ହେଉଛି ପଡ଼ିଆ ଭିତରେ ଭଲ ବ୍ୟାଟିଂ କରିବା ଏବଂ ଦେଶର ପ୍ରତିନିଧିତ୍ୱ କରିବା। ମୁଁ ଯେଉଁଦିନଠାରୁ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଛି, ସେବେଠାରୁ ବାହାରେ ଏମିତି ଅନେକ ଆଲୋଚନା ଚାଲିଆସିଛି। ମୁଁ ଦଳରେ ଥିବା ପର୍ଯ୍ୟନ୍ତ ଏଭଳି କଥା ଉଠୁଥିବ। ଏସବୁ ବାହାର ଚର୍ଚ୍ଚା ମୋ ପାଇଁ କୌଣସି ମାୟନେ ରଖେନାହିଁ। ଯଦି ବାହାରେ ଏମିତି ଆଲୋଚନା ନହେବ, ତେବେ ଖେଳର ମଜା ରହିବ ନାହିଁ। ମୋର ଫୋକସ୍ କେବଳ ଗ୍ରାଉଣ୍ଡ ଭିତରେ ପ୍ରଦର୍ଶନ କରିବା ଉପରେ ରହିଛି।
ପରାଜୟରେ ନିରାଶ ଅଧିନାୟକ, ଯୁବ ଖେଳାଳିଙ୍କୁ ସମର୍ଥନ
ଐତିହାସିକ ଶତକ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍ରେ ପରାଜିତ ହୋଇଥିବାରୁ ରୋହିତ ବେଶ୍ ନିରାଶ ଦେଖାଯାଇଥିଲେ। ସେ କହିଛନ୍ତି ଯେ, ଭଲ ଆରମ୍ଭ ସତ୍ତ୍ୱେ ବ୍ୟାଟିଂରେ ଦଳ ପ୍ରାୟ ୨୦ ରୁ ୨୫ ରନ୍ ପଛରେ ରହିଗଲା। ଏଥିସହିତ ବୋଲିଂ ବିଭାଗକୁ ନେଇ ସେ କହିଛନ୍ତି, ଦଳରେ ଏମିତି ଅନେକ ଯୁବ ଖେଳାଳି ଅଛନ୍ତି ଯେଉଁମାନଙ୍କର ଦିନିକିଆ କ୍ରିକେଟ୍ରେ ଅଧିକ ଅଭିଜ୍ଞତା ନାହିଁ, ତେଣୁ ସେମାନଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ ଆଉ କିଛି ସମୟ ଦେବାକୁ ପଡ଼ିବ।