ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ଦିନ ହେବ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ଜୁଲାଇ ୧୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଲର୍ଡସ ମୈଦାନରେ ହେବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ। ଯଦିଓ ଏହି ପ୍ରସଙ୍ଗରେ ରୋହିତ ଶର୍ମା କିମ୍ବା ବିସିସିଆଇ (BCCI) ପକ୍ଷରୁ କୌଣସି ଆଧିକାରିକ ସୂଚନା ମିଳିନାହିଁ, ତଥାପି ଏହି ଗୁଜବ ଭିତରେ ହିଟ୍ମ୍ୟାନ୍ଙ୍କ ଏକ ପୁରୁଣା ବୟାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅବସରକୁ ନେଇ କ’ଣ ଭାବନ୍ତି ରୋହିତ ଶର୍ମା?
ରୋହିତଙ୍କ ସନ୍ୟାସକୁ ନେଇ ଗୁଜବ ଉଠିବା ଏହା ପ୍ରଥମ ଘଟଣା ନୁହେଁ। ତାଙ୍କ କ୍ୟାପ୍ଟେନ୍ସିରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା। ଏହା ପରେ ଗତ ମେ ୭ ତାରିଖରେ ସେ ଟେଷ୍ଟ କ୍ରିକେଟ୍କୁ ଅଲବିଦା କହିଥିଲେ। ଟେଷ୍ଟରୁ ଅବସର ନେବା ପରେ ଏକ ଇଣ୍ଟରଭ୍ୟୁରେ ରୋହିତ ନିଜ ରିଟାୟରମେଣ୍ଟ ଯୋଜନାକୁ ନେଇ ସ୍ପଷ୍ଟ ଭାବେ କହିଥିଲେ, ଯେଉଁଦିନ ମୋତେ ଅନୁଭବ ହେବ କି ମୁଁ ପଡ଼ିଆରେ ସେହିଭଳି ପ୍ରଦର୍ଶନ କରିପାରୁନାହିଁ ଯାହା ମୁଁ କରିବାକୁ ଚାହୁଁଛି, ମୁଁ ସେହି ଦିନ ହିଁ ଖେଳିବା ଛାଡ଼ି ଦେବି। ଯେତେବେଳେ ମୋ ମନ କହିବ 'ବସ, ଏବେ ଆଉ ନୁହେଁ', ମୁଁ କ୍ରିକେଟରୁ ଦୂରେଇ ଯିବି। କିନ୍ତୁ ବର୍ତ୍ତମାନ ପାଇଁ ମୋର ବିଶ୍ୱାସ ରହିଛି ଯେ ମୋର ଖେଳ ଦଳକୁ ଜିତାଇବାରେ ସାହାଯ୍ୟ କରୁଛି।"
୨୦୨୭ ବିଶ୍ୱକପ୍ ଯୋଜନାରୁ ବାଦ୍ ପଡ଼ିଲେ କି ରୋହିତ ?
ରିପୋର୍ଟ ଅନୁଯାୟୀ, ରୋହିତଙ୍କ ଏହି ଅବସର ଚର୍ଚ୍ଚା ପଛରେ ଚୟନକର୍ତ୍ତାଙ୍କ ଏକ ବଡ଼ ନିଷ୍ପତ୍ତି ରହିଛି। ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ସୂଚନା ମୁତାବକ, ବିସିସିଆଇ ଚୟନ କମିଟି ରୋହିତ ଶର୍ମାଙ୍କୁ ସ୍ପଷ୍ଟ କରିଦେଇଛି ଯେ ସେ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ସାମିଲ ନାହାନ୍ତି।
ବୋର୍ଡ ଏବେ ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ଯୁବ ଓପନର୍ ୟଶସ୍ୱୀ ଜସୱାଲଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛି, ଯିଏ କି ଦୀର୍ଘ ଦିନ ହେବ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଏହି କାରଣରୁ ରୋହିତ ନିଜ ସାଥୀ ଖେଳାଳି ବିରାଟ କୋହଲିଙ୍କୁ ଡ୍ରେସିଂ ରୁମ୍ରେ ଭେଟିଥିବା କିଛି ଭାବୁକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।