ମୁମ୍ବାଇ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହୋଇପାରେ ବହୁତ ବଡ ପରିବର୍ତ୍ତନ । କୁହାଯାଉଛି ଟିମର ମୁଖ୍ୟ ପ୍ରଶିକ୍ଷକ ମହଲେ ଜୟବର୍ଦ୍ଧନେ ନିକଟରେ ସଂପନ୍ନ ୨୦୨୬ ସିଜିନର ରିପୋର୍ଟ ଦଳ ପ୍ରବନ୍ଧକଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରବନ୍ଧକ ବା ମ୍ୟାନେଜମେଣ୍ଟ ସମୀକ୍ଷା ବୈଠକ କରି ପାରନ୍ତି । ଏହି ବୈଠକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ । ଉଲ୍ଲେଖନୀୟ ହାର୍ଦ୍ଦିକଙ୍କ ଟ୍ରେଡକୁ ନେଇ କ୍ରିକେଟ ଜଗତରେ ବହୁତ ଚର୍ଚ୍ଚା ଲାଗି ରହିଛି । ଚେନ୍ନାଇ ସୁପର କିଙ୍ଗ୍ସଠୁ ନେଇ କୋଲକାତା ନାଇଟ୍ ରାଇଡର୍ସ ପରି ବଡ ଟିମ୍ ମଧ୍ୟ ଭାରତର ଏହି ତାରକା ଅଲରାଉଣ୍ଡରଙ୍କୁ ନିଜ ଟିମରେ ସାମିଲ୍ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଯଶପ୍ରୀତ ବୁମରା ଏବଂ ତିଳକ ବର୍ମା ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଦୌଡରେ ଅଛନ୍ତି । ବୁମରାଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଛି । ହେଲେ ତାଙ୍କର ଆଘାତଜନିତ ସମସ୍ୟା ଏବଂ କାର୍ଯ୍ୟଭାର ପରିଚାଳନା ତାଙ୍କର ଚର୍ଚ୍ଚାର ବିଷୟ ରହି ଆସିଛି । ଅନ୍ୟପଟେ ତିଳକ ବର୍ମାଙ୍କ ରୂପେ ମୁମ୍ବାଇ ନିଜ ଟିମର ଭବିଷ୍ୟତ ସୁରକ୍ଷିତ ରଖିପାରେ । ତିଳକ ବର୍ମା ଇଣ୍ଡିଆ ଏର ଅଧିନାୟକତ୍ୱ କରିବା ସହ ଭାରତୀୟ ଜାତୀୟ ଟି-୨୦ ଦଳର ଉପଅଧିନାୟକ । ଏବେ ଦେଖିବାକୁ ବାକି ରହିଲା ଯେ, ଦଳ ପ୍ରବନ୍ଧକ କେଉଁ ନିଷ୍ପତ୍ତି ନେଉଛନ୍ତି ।
ହାର୍ଦ୍ଦିକଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ପ୍ରତ୍ୟାବର୍ତ୍ତନ ୨୦୨୪ରେ ହୋଇଥିଲା । ଏହା ପୂର୍ବରୁ ସେ ଦୁଇଟି ସିଜିନରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇଥିଲେ । ଆଉ ଦୁଇ ଥର ଗୁଜରାଟ ଫାଇନାଲରେ ପହଞ୍ଚିଥିଲା । ୨୦୨୨ରେ ନିଜର ପଦାର୍ପଣ ସିଜିନରେ ଜିଟି ଚାମ୍ପିଅନ ହୋଇଥିଲା ଏବଂ ୨୦୨୩ରେ ରନର୍ସଅପ ହୋଇଥିଲା ।
ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନିରାଶଜନକ ରହିଛି । ୨୦୨୪ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ୧୦ମ ସ୍ଥାନରେ ଥିଲା । ହେଲେ ୨୦୨୫ରେ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ୨୦୨୬ରେ ପୁଣି ଥରେ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ଅଙ୍କ ତାଲିକାରେ ନବମରେ ରହିଥିଲା ।