ନୂଆଦିଲ୍ଲୀ: ଟି-୨୦ ସିରିଜ୍ରେ କ୍ଲିନ୍ ସ୍ଵିପ୍ର ସମ୍ମୁଖୀନ ହେବା ପରେ ଏବେ ଦିନିକିଆ ଫର୍ମାଟରେ ଜବାବ ଦେବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ। ଟି-୨୦ରେ ବିଜୟୀ ହୋଇଥିଲେ ସୁଦ୍ଧା ଇଂଲଣ୍ଡ ଦଳ ଭଲ ଭାବେ ଜାଣିଛି ଯେ ଦିନିକିଆରେ ଭାରତକୁ ହରାଇବା ସହଜ ହେବନାହିଁ। କାରଣ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳକୁ ଫେରୁଛନ୍ତି ଦୁଇ ମହାନ କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା। ଏହାସହ ବ୍ରେକ୍ ପରେ ତାରକା ବୋଲର ଯଶପ୍ରୀତ ବୁମରା ମଧ୍ୟ ବୋଲିଂ ବାହିନୀର ମଙ୍ଗ ଧରିବେ। ତେଣୁ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ଟି-୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେବ ଭାରତ। ଶୁଭମନ ଗିଲ୍ ଦଳର ଅଧିନାୟକ ଥିବା ବେଳେ ଶ୍ରେୟସ ଆୟର ଉପ-ଅଧିନାୟକ ଦାୟିତ୍ଵରେ ଅଛନ୍ତି।
୭ ନୂଆ ଖେଳାଳିଙ୍କ ଏଣ୍ଟ୍ରି, ଶକ୍ତିଶାଳୀ ହେବ ଟିମ୍ ଇଣ୍ଡିଆ
ଭାରତୀୟ ଦିନିକିଆ ଦଳରେ କ୍ୟାପଟେନ ଶୁଭମନ ଗିଲ୍ଙ୍କ ସମେତ ଏଭଳି ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଟି-୨୦ ସିରିଜ୍ର ଅଂଶ ନଥିଲେ। ଏଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ଅଛନ୍ତି, ଯେଉଁମାନେ ଏବେ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି। ବୋଲିଂରେ ଯଶପ୍ରୀତ ବୁମରାଙ୍କ ସହ ଯୁବ ବୋଲର ଗୁରନୁର ବରାର ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ଡେବ୍ୟୁ କରି ବରାର ୩ଟି ମ୍ୟାଚ୍ରେ ୭ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଟି-୨୦ ସିରିଜ୍ରେ ଭାରତର ବୋଲିଂ ବାହିନୀ ସାମାନ୍ୟ ଦୁର୍ବଳ ଜଣାପଡ଼ୁଥିବା ବେଳେ ଏହି ଦୁଇ ଘାତକ ବୋଲରଙ୍କ ଆଗମନ ଦଳକୁ ଅଧିକ ମଜବୁତ କରିବ।
ପ୍ରଥମ ଦିନିକିଆ କେବେ ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ମଙ୍ଗଳବାର ୧୪ ଜୁଲାଇରେ ଖେଳାଯିବ। ଏହି ରୋମାଞ୍ଚକର ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୧୨ଟି ଦିନିକିଆ ଖେଳି ୮ଟିରେ ବିଜୟ ହାସଲ କରିଛି। ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୨୮ ରନ୍ରେ ହରାଇଥିଲା, କିନ୍ତୁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍ରେ ଭାରତକୁ ୩୧ ରନ୍ରେ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।
କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?
ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଅପରାହ୍ନ ୩:୩୦ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୦୦ଟାରେ ଟସ୍ ପଡ଼ିବ। ପ୍ରଶଂସକମାନେ ଏହି ମ୍ୟାଚ୍ର ସିଧାପ୍ରସାରଣ ଟିଭିରେ ସୋନି ସ୍ପୋର୍ଟସ ନେଟୱର୍କ (Sony Sports Network) ଚ୍ୟାନେଲ୍ରେ ଦେଖିପାରିବେ। ମୋବାଇଲରେ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାରରେ ଦିନିିକିଆ ସିରିଜର ସିଧା ପ୍ରସାରଣ ଦେଖି ପାରିବେ ।