ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଭାରତ ସିରିଜ୍ ଜିତି ପାରିବ ନାହିଁ କିନ୍ତୁ ଡ୍ର କରିବା ପାଇଁ ଶେଷ ସୁଯୋଗ ରହିଛି । ଆଜିର ମ୍ୟାଚ୍ ହାରିଲେ ଦଳ ସିରିଜ୍ ହାରିବ । ତେଣୁ ଏହି ମୁକାବିଲା ଜିତିବା ଭାରତ ପାଇଁ ବହୁତ ଜରୁରୀ । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳର ଚୂଡାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିଛି ।
ଆଜି ସଞ୍ଜୁ ସାମସନ ଖେଳିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ଟି-୨୦ ବିଶ୍ୱକପରେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ସଞ୍ଜୁ ସାମସନଙ୍କୁ ସିରିଜର ପ୍ରଥମ ମ୍ୟାଚ ପରେ ଡ୍ରପ କରାଯାଇଥିଲା । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିଥିଲା । ହେଲେ ବୈଭବ ଗତ ଦୁଇଟି ମ୍ୟାଚରେ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି । ଗତ ମ୍ୟାଚ୍ରେ ପୂରା ଭାରତୀୟ ଦଳ ମାତ୍ର ୭୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା, ଯେଉଁଠି ଇଂଲଣ୍ଡ ୨୦୦ରୁ ଅଧିକ ରନ୍ ସ୍କୋର କରିଥିଲା।
ଅନ୍ୟପଟେ ଲଗାତାର ଫ୍ଲପ୍ ହେଉଥିବା ଉପ-ଅଧିନାୟକ ତିଲକ ବର୍ମା ଏବେ ପ୍ରଶଂସକଙ୍କ ନିଶାନାରେ ଅଛନ୍ତି। ସୂତ୍ର ଅନୁସାରେ, ଖରାପ ଫର୍ମ ଯୋଗୁଁ ଆଜି ତିଲକ ବର୍ମାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦିଆଯାଇପାରେ ଏବଂ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କର ଦଳକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ହୋଇପାରେ। ସଞ୍ଜୁଙ୍କୁ ଦଳରୁ ବାଦ୍ ଦିଆଯିବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସାମ୍ନାରେ ଷ୍ଟାଡିୟମରେ ପ୍ରଶଂସକମାନେ 'ସଞ୍ଜୁ-ସଞ୍ଜୁ' ନାରା ମଧ୍ୟ ଲଗାଇଥିଲେ।
ବୋଲିଂରେ ବି ହେବ ବଡ଼ ବଦଳ ?
କେବଳ ବ୍ୟାଟିଂ ନୁହେଁ, ବୋଲିଂ ବିଭାଗରେ ମଧ୍ୟ ଭାରତୀୟ ମ୍ୟାନେଜମେଣ୍ଟ କିଛି ପରିବର୍ତ୍ତନ କରିପାରେ। ଚଳିତ ସିରିଜ୍ରେ ନିରାଶଜନକ ପ୍ରଦର୍ଶନ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଆଜି ବେଞ୍ଚ୍ରେ ବସିବାକୁ ପଡ଼ିପାରେ। ଗତ ମ୍ୟାଚ୍ରେ ସେ ୩ ଓଭରରେ ୩୫ ରନ୍ ବ୍ୟୟ କରି କୌଣସି ୱିକେଟ୍ ପାଇନଥିଲେ। ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ, ଯିଏ ବୋଲିଂ ସହ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ ମଧ୍ୟ କରିପାରନ୍ତି।
ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଷନ, ସଞ୍ଜୁ ସାମସନ (ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ।