ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟି-୨୦ କ୍ରିକେଟ ଦଳର ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳରେ ଅନେକ ବଡ଼ ଏବଂ ଚମକାଇବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ଅଧିନାୟକ ଦାୟିତ୍ଵ ଷ୍ଟାର୍ ବ୍ୟାଟର ଶ୍ରେୟସ ଆୟରଙ୍କ ହାତରେ ରହିବ। ଯୁବ ତାରକା ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ତେବେ ସବୁଠାରୁ ବଡ଼ ଖବର ହେଉଛି, ନିକଟରେ ଦଳକୁ ବିଶ୍ୱକପ୍ ଜିତାଇବାରେ ସାମିଲ ଥିବା ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଏହି ଦଳରୁ ବାଦ୍ ଦିଆଯାଇଛି।
ରିଙ୍କୁଙ୍କ ପ୍ରତ୍ୟାବର୍ତ୍ତନ, ଦଳରେ ଯୁବ ଓପନର ସରପ୍ରାଇଜ୍
ଏହି ସିରିଜ୍ରେ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂଙ୍କ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ଓପନିଂ ଭାର ସମ୍ଭାଳିବା ପାଇଁ ଅଭିଷେକ ଶର୍ମାଙ୍କ ସହ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଇଛି ଚୟନ କମିଟି। ସେହିପରି ସଞ୍ଜୁ ସାମସନଙ୍କ ସ୍ଥାନରେ ୱିକେଟକିପର ବ୍ୟାଟର ଭାବେ ଇଶାନ କିଷନ ଏବଂ ପ୍ରଭସିମରନ ସିଂଙ୍କୁ ଦଳରେ ସ୍ଥାନ ମିଳିଛି। ଏହା ବ୍ୟତୀତ ସୂର୍ଯ୍ୟାଂଶ ସେଡ୍ଗେ ମଧ୍ୟ ସ୍କ୍ୱାଡ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି।
ବଦଳିଗଲା ସମ୍ପୂର୍ଣ୍ଣ ବୋଲିଂ ବାହିନୀ
ଏହି ଗସ୍ତ ପାଇଁ ଭାରତୀୟ ଦଳର ପେସ୍ ବୋଲିଂ ଲାଇନଅପ୍କୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯାଇଛି। ନିୟମିତ ଖେଳୁଥିବା ଅର୍ଶଦୀପ ସିଂ, ହର୍ଷିତ ରାଣା ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ଏହି ସିରିଜ୍ରୁ ବିଶ୍ରାମ ବା ବାଦ୍ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଘରୋଇ କ୍ରିକେଟ ଓ ଆଇପିଏଲ୍ରେ କମାଲ କରିଥିବା ମୟଙ୍କ ଯାଦବ, ପ୍ରିନ୍ସ ଯାଦବ, ୟଶ ଠାକୁର ଏବଂ ଅଶୋକ ଶର୍ମାଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଥିବା ବେଳେ କୁଲଦୀପ ଯାଦବଙ୍କୁ ଏହି ସ୍କ୍ୱାଡ୍ରେ ସ୍ଥାନ ମିଳିନାହିଁ। ଅଲ୍ରାଉଣ୍ଡର ଭାବେ ଶିବମ ଦୁବେ ଓ ହର୍ଷ ଦୁବେ ଦଳରେ ରହିଛନ୍ତି।
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ସଦଳ
ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଇଶାନ କିଷନ (ୱିକେଟକିପର), ପ୍ରଭସିମରନ ସିଂ (ୱିକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ସେଡ୍ଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ମୟଙ୍କ ଯାଦବ ଏବଂ ଅଶୋକ ଶର୍ମା।
ଜାଣନ୍ତୁ କେବେ ଏବଂ କେଉଁଠି ହେବ ମ୍ୟାଚ୍
ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ହରାରେ ସ୍ପୋର୍ଟସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବ।
ପ୍ରଥମ ଟି-୨୦: ୨୩ ଜୁଲାଇ
ଦ୍ୱିତୀୟ ଟି-୨୦: ୨୫ ଜୁଲାଇ
ତୃତୀୟ ଟି-୨୦: ୨୬ ଜୁଲାଇ
ଏହି ସବୁଯାକ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ୍ରେ ଆରମ୍ଭ ହେବ। ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମ୍ ଜିମ୍ବାୱେ ମାଟିରେ କେମିତି ପ୍ରଦର୍ଶନ କରୁଛି, ତାହା ଉପରେ ଏବେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ରହିଛି।