ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଓପନର ସଞ୍ଜୁ ସାମସନଙ୍କ ଖରାପ ଫର୍ମ ଏବେ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ମାତ୍ର ୧୫ ବର୍ଷର ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଙ୍ଗ୍-୧୧ରେ ସାମିଲ କରିବା ପାଇଁ ଦାବି ଜୋର ଧରିଛି। ଏହି ବିବାଦ ଓ ସମାଲୋଚନା ମଧ୍ୟରେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛି।
ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ଓପନିଂ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଶେଷ କରି ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନ ଗତ ୩ଟି ଇନିଂସରେ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ସାମସନଙ୍କ ଏଭଳି ଫ୍ଲପ୍ ଶୋ' ପରେ ତାଙ୍କ ସ୍ଥାନରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ଦେବାକୁ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଓ କପିଳ ଦେବ ସ୍ୱର ଉଠାଇଛନ୍ତି।
ମାତ୍ର ଏସବୁ ସତ୍ତ୍ୱେ ମ୍ୟାନେଜମେଣ୍ଟ ନିୟମିତ ଓପନର ଅଭିଷେକ ଶର୍ମା ଏବେ ସଞ୍ଜୁ ସାମସନଙ୍କ ଉପରେ ଭରସା ଜାରି ରଖିଛି। ନିକଟରେ ଦଳର ବୋଲିଂ କୋଚ୍ ମୋର୍ନେ ମୋର୍କେଲ ମଧ୍ୟ କହିଥିଲେ ଯେ, ସଠିକ୍ ସମୟ ଆସିଲେ ବୈଭବଙ୍କୁ ନିଶ୍ଚୟ ସୁଯୋଗ ମିଳିବ, କିନ୍ତୁ ଖରାପ ସମୟରେ ଖେଳାଳିଙ୍କୁ ସମର୍ଥନ କରିବା ମଧ୍ୟ ଜରୁରୀ।
BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ବଡ଼ ବୟାନ
ମ୍ୟାନେଜମେଣ୍ଟ ଓ କ୍ୟାପଟେନଙ୍କୁ ନେଇ ଚାଲିଥିବା ସମାଲୋଚନା ଭିତରେ ମୁହଁ ଖୋଲିଛନ୍ତି BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି
ଆମେ ସମସ୍ତେ ଜାଣୁ ବୈଭବ ଜଣେ ଅତ୍ୟନ୍ତ ପ୍ରତିଭାବାନ ଖେଳାଳି ଏବଂ ସେ ଆଇପିଏଲରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ବିରୋଧରେ କିଛି ଚର୍ଚ୍ଚା ମୋ କାନକୁ ଆସିଛି, କିନ୍ତୁ ମୁଁ ଏକଥା ସ୍ପଷ୍ଟ କରିବାକୁ ଚାହେଁ ଯେ ଦଳ ଚୟନ ଏବଂ ଅନ୍ତିମ ନିଷ୍ପତ୍ତି କେବଳ କୋଚ୍ ଏବଂ ଅଧିନାୟକଙ୍କର ହିଁ ରହିବ। ଯେତେବେଳେ ସେମାନଙ୍କୁ ପରିସ୍ଥିତି ଅନୁକୂଳ ମନେହେବ, ବୈଭବଙ୍କୁ ନିଶ୍ଚୟ ଡେବ୍ୟୁ କରିବାର ସୁଯୋଗ ମିଳିବ।