ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଦୀର୍ଘ ୧୨୮ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ଅଲିମ୍ପିକ୍ସ ମୈଦାନକୁ ଫେରୁଛି କ୍ରିକେଟ। ଆସନ୍ତା ୨୦୨୮ ଲସ୍ ଆଞ୍ଜେଲିସ ଅଲିମ୍ପିକ୍ସରେ କ୍ରିକେଟର ମହାକୁମ୍ଭ ଦେଖିବାକୁ ମିଳିବ। ଏହା ପୂର୍ବରୁ ଶେଷ ଥର ପାଇଁ ୧୯୦୦ ମସିହା ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା। ଏହି ଐତିହାସିକ ପ୍ରତ୍ୟାବର୍ତ୍ତନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC) ଯୋଗ୍ୟତା ପର୍ଯ୍ୟାୟ ବା କ୍ୱାଲିଫିକେସନ୍ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଜାଣନ୍ତୁ କେଉଁ ନିୟମରେ ଦଳଗୁଡ଼ିକ ଏହି ମେଗା ଇଭେଣ୍ଟରେ ପ୍ରବେଶ କରିବେ ଏବଂ ଏଥିରେ ଭାରତର ସ୍ଥିତି କଣ ରହିଛି।
୬-୬ ଦଳ ମଧ୍ୟରେ ହେବ ମେଡାଲ୍ ଲଢ଼େଇ
୨୦୨୮ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଟି-୨୦ ଫର୍ମାଟ୍ରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ପ୍ରତି ବର୍ଗରେ ମାତ୍ର ୬ଟି ଲେଖାଏଁ ଶ୍ରେଷ୍ଠ ଦଳ ସ୍ୱର୍ଣ୍ଣ ପଦକ ପାଇଁ ମୈଦାନକୁ ଓହ୍ଲାଇବେ। ଏଥିରେ ଏସିଆ, ଆଫ୍ରିକା, ୟୁରୋପ ଏବଂ ଓସେନିଆ ମହାଦେଶର ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯାଇଛି।
ଭାରତୀୟ ମହିଳା ଦଳର ଆସନ ପକ୍କା
ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସବୁଠାରୁ ଖୁସିର ଖବର ହେଉଛି, ମହିଳା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଟିକେଟ୍ ହାତେଇ ସାରିଛି। ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ପ୍ରଦର୍ଶନ ଆଧାରରେ ୪ଟି ଦଳର ସ୍ଥାନ ଚୂଡ଼ାନ୍ତ ହୋଇଛି। ଭାରତ ବ୍ୟତୀତ ବିଶ୍ୱବିଜୟୀ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ (ଇଂଲଣ୍ଡ) ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିସାରିଛନ୍ତି।
ମହିଳା ଦଳ ପରି ପୁରୁଷ ଦଳର ଚୟନ ସିଧାସଳଖ ହେବନାହିଁ। ପୁରୁଷ କ୍ରିକେଟ୍ ଦଳ ପାଇଁ ଆଇସିସି ଟି-୨୦ ର୍ୟା ଙ୍କିଙ୍ଗକୁ ଆଧାର କରାଯିବ। ୩୧ ଡିସେମ୍ବର ୨୦୨୬ ସୁଦ୍ଧା ଆଫ୍ରିକା, ଏସିଆ, ୟୁରୋପ ଏବଂ ଓସେନିଆ ମହାଦେଶର ଯେଉଁ ଦଳଗୁଡ଼ିକ ଶୀର୍ଷ ର୍ୟାବଙ୍କିଙ୍ଗରେ ଥିବେ, ସେମାନଙ୍କୁ ସୁଯୋଗ ମିଳିବ। ତେବେ ଏହି ଦଳଗୁଡ଼ିକ ପାଇଁ ଆଇସିସି ଟି-୨୦ ର୍ୟା ଙ୍କିଙ୍ଗର ଟପ୍-୧୫ (ଶ୍ରେଷ୍ଠ ୧୫) ଭିତରେ ରହିବା ବାଧ୍ୟତାମୂଳକ।
ଆୟୋଜକ ଆମେରିକା ପାଇଁ କଣ ରହିଛି ନିୟମ?
ଆୟୋଜକ ଦେଶ ଭାବେ ଆମେରିକା (USA) ସିଧାସଳଖ ଅଲିମ୍ପିକ୍ସ ଖେଳିପାରିବ ନାହିଁ। ଯଦି କ୍ୱାଲିଫିକେସନ୍ ୱିଣ୍ଡୋ ସମୟରେ ଆମେରିକା ପୁରୁଷ କିମ୍ବା ମହିଳା ଟିମ୍ ଆଇସିସି ର୍ୟାାଙ୍କିଙ୍ଗର ଟପ୍-୧୫ ମଧ୍ୟରେ ସ୍ଥାନ ପାଇବେ, ତେବେ ଯାଇ ସେମାନେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ।