ନୂଆଦିଲ୍ଲୀ: ଆଜି ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ବେଲଫାଷ୍ଟର କାଉଣ୍ଟି ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ଏହି ମ୍ୟାଚ୍ ପୂର୍ବରୁ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଆଜି ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ ? ପ୍ରତିଟି କ୍ରିକେଟ୍ ପ୍ରଶଂସକ ଚାହାନ୍ତି ବୈଭବ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳନ୍ତୁ । ୧୫ ବର୍ଷୀୟ ବୈଭବ ଆଇପିଏଲ୍ ୨୦୨୬ରେ ଧମାକାଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ଟି-୨୦ ଜାତୀୟ ଦଳରେ ସ୍ଥାନ ମିଳିଛି । ହେଲେ ତାଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ । ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ବୟାନରୁ ଏହି ସଙ୍କେତ ମିଳିଛି ।
ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସୀତାଂଶୁ କୋଟାକ କହିଛନ୍ତି, କେବଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ଦେବା ପାଇଁ ଦଳ ପ୍ରବନ୍ଧକ କୌଣସି ଖେଳାଳିଙ୍କୁ ବାଦ୍ ଦେଇ ପାରିବ ନାହିଁ । ମୋତେ ଭରସା ଯେ, ବୈଭବଙ୍କୁ ନିଜର ସାମର୍ଥ୍ୟ ଓ ଦକ୍ଷତା ଦେଖାଇବାର ପର୍ଯ୍ୟାପ୍ତ ସୁଯୋଗ ମିଳିବ । କେବଳ ତାଙ୍କୁ ସୁଯୋଗ ଦେବା ପାଇଁ କାହାରିକୁ ଦଳରୁ ଡ୍ରପ କରିବା ଠିକ୍ ହେବନି । କାରଣ ଦଳରେ ଥିବା ଖେଳାଳି ବହୁତ ରନ କରିବା ସହିତ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଛନ୍ତି ।
ବ୍ୟାଟିଂ କୋଚ୍ କହିଛନ୍ତି, ନିଶ୍ଚିତ ରୂପେ ଏହା ଦଳ ପ୍ରବନ୍ଧକଙ୍କ ଉପରେ ନିର୍ଭର କରେ ଯେ, ବୈଭବଙ୍କୁ କେବେ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ । ଏବେ ପ୍ରତିଟି ମ୍ୟାଚର ରଣନୀତି ଏବଂ ବିପକ୍ଷ ଦଳକୁ ଦେଖି ରଣନୀତି ପ୍ରସ୍ତୁତ କରାଯିବ । ସେହି ହିସାବରେ ଚୂଡାନ୍ତ ଏକାଦଶ ଚୟନ କରାଯିବ । ତେଣୁ ବୈଭବଙ୍କୁ ନେଇ କୌଣସି ଆଶଙ୍କା ନାହିଁ ।
ଟସ୍ ସମୟ- ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦
ମ୍ୟାଚ୍ ଆରମ୍ଭ ହେବା ସମୟ- ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା
ଟିଭିରେ ସୋନି ସ୍ପୋର୍ଟ୍ସରେ ହେବ ପ୍ରସାରଣ
ମୋବାଇଲରେ ସୋନି ଲିଭ ଆପରେ ପ୍ରସାରଣ