ମାଞ୍ଚେଷ୍ଟର: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା କ୍ରିକେଟର ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ‘କର ବା ମର’ ମୁକାବିଲାରେ ବାଂଲାଦେଶକୁ ୫ ୱିକେଟ୍ରେ ଧୂଳି ଚଟାଇଛି ଭାରତ । ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୩୭ ରନ୍ର ଲକ୍ଷ୍ୟକୁ ଭାରତୀୟ ଦଳ ମାତ୍ର ୧୭ ଓଭରରେ ଅତି ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ ଓପନର୍ ଶେଫାଳୀ ବର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମଧ୍ୟକ୍ରମରେ ଜେମିମା ରୋଡ୍ରିଗ୍ସ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ବଡ଼ ବିଜୟ ଭେଟି ଦେଇଛନ୍ତି ।
ଶେଫାଳୀଙ୍କ ଧୂଆଁଧାର ଇନିଂସ
୧୩୭ ରନ୍ର ପିଛା କରୁଥିବା ଭାରତ ମାତ୍ର ୮ ରନ୍ରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କ ୱିକେଟ୍ ହରାଇଥିଲା। ହେଲେ ଶେଫାଳୀ ବର୍ମା ବାଂଲାଦେଶୀ ବୋଲରଙ୍କ ଉପରେ ପ୍ରହାର କରି କରି ପ୍ରାୟ ୧୫୬ ଷ୍ଟ୍ରାଇକ୍ ରେଟ୍ରେ ମାତ୍ର ୩୪ ବଲ୍ରୁ ୫୩ ରନ୍ର ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ୟାସ୍ତିକା ଭାଟିଆଙ୍କ ସହ ମିଶି ୪୫ ରନ୍ର ଏକ ମୂଲ୍ୟବାନ ଭାଗିଦାରୀ କରି ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ ।
ତେବେ ମଧ୍ୟକ୍ରମରେ ଭାରତୀୟ ବ୍ୟାଟର ସାମାନ୍ୟ ସଂଘର୍ଷ କରିଥିଲେ । ଏକଦା ଦଳ ଗୋଟିଏ ୱିକେଟ୍ ହରାଇ ୭୬ ରନ୍ କରିଥିବା ବେଳେ, ମାତ୍ର ୨୨ ରନ୍ ଭିତରେ ଆଉ ୩ଟି ୱିକେଟ୍ ହରାଇ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା ଏବଂ ରନ୍ ଗତି ମଧ୍ୟ କମିଯାଇଥିଲା ।
୧୪ ଓଭର ପରେ ଜେମିମା ରୋଡ୍ରିଗ୍ସ ଦ୍ରୁତ ବ୍ୟାଟିଂ କରି ମ୍ୟାଚର ମୋଡ ବଦଳାଇଥିଲେ। । ଡ୍ରିଙ୍କ୍ସ ବ୍ରେକ୍ ପରେ ପଡ଼ିଥିବା ମାତ୍ର ୯ଟି ବଲ୍ରେ ଜେମିମା ଏବଂ ଭାରତୀୟ ବ୍ୟାଟର ୨୪ ରନ୍ ସଂଗ୍ରହ କରି ମ୍ୟାଚ୍ର ଦୁଗ ବଦଳାଇ ଦେଇଥିଲେ । ଜେମିମା ୧୫ ବଲ୍ରୁ ୨୬ ରନ୍ର ଏକ ଦ୍ରୁତ ଇନିଂସ ଖେଳି ଭାରତକୁ ଏକ ବମ୍ପର ବିଜୟ ଦେଇଥିଲେ ।
କେମିତି ରହିଛି ସେମିଫାଇନାଲ୍ ସମୀକରଣ ?
ବାଂଲାଦେଶ ବିପକ୍ଷରେ ଏହି ବଡ଼ ବିଜୟ ପରେ ଭାରତ ଗ୍ରୁପ୍-ଏ (Group A) ର ପଏଣ୍ଟ ଟେବୁଲ୍ରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୪ ପଏଣ୍ଟ ସହ ଦୌଡ଼ରେ ରହିଛି ଏବଂ ତାର ଆଗାମୀ ଦୁଇଟି ମ୍ୟାଚ୍ ଦୁର୍ବଳ ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ସହ ରହିଛି । ଆଫ୍ରିକା ଦଳ ପାଇଁ ୮ ପଏଣ୍ଟରେ ପହଞ୍ଚିବା ବହୁତ ସହଜ ମନେହେଉଛି । ତେଣୁ ସେମିଫାଇନାଲ୍ ଟିକେଟ୍ ପକ୍କା କରିବାକୁ ହେଲେ ଭାରତୀୟ ମହିଳା ଦଳକୁ ଆସନ୍ତା ଜୁନ୍ ୨୮ ତାରିଖରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇବାକୁ ହିଁ ପଡ଼ିବ।