ନୂଆଦିଲ୍ଲୀ: ୨୦୩୬ ମସିହାରେ ହେବାକୁ ଥିବା ବିଶ୍ଵର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ'ର ଆୟୋଜନ ଅଧିକାର ହାସଲ କରିବା ପାଇଁ ଭାରତର ପ୍ରୟାସ ଜାରି ରଖିଛି। ୧୦ ବର୍ଷ ପରେ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC) ବୁଧବାର ସ୍ପଷ୍ଟ କରିଛି ଯେ, ୨୦୩୬ ଅଲିମ୍ପିକ୍ସର ଆୟୋଜକ ଦେଶର ନାମ ୨୦୨୯ ମସିହାରେ ଘୋଷଣା କରାଯିବ। ଅଲିମ୍ପିକ୍ସ ଆୟୋଜକ ଚୟନ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରକ୍ରିୟା ଲାଗୁ କରାଯାଇଛି।
୩ଟି ପର୍ଯ୍ୟାୟରେ ହେବ ଚୟନ, ୨୦୨୭ରୁ ଆରମ୍ଭ ହେବ ଆଲୋଚନା
କ୍ରୋଏସିଆର ପୂର୍ବତନ ରାଷ୍ଟ୍ରପତି ରହିସାରିଥିବା କୋଲିଣ୍ଡାଙ୍କ କହିବା ଅନୁଯାୟୀ, ଆୟୋଜନ ପାଇଁ ଆବେଦନ କରିଥିବା ଦେଶଗୁଡ଼ିକ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଚାହୁଁଥିଲେ। ତେଣୁ ଏହି ନୂଆ ନିୟମ ଅନୁସାରେ, ମାର୍ଚ୍ଚ ୨୦୨୭ରୁ ଶର୍ଟଲିଷ୍ଟ ହୋଇଥିବା ଦେଶଗୁଡ଼ିକ ସହିତ ରଣନୀତିକ ଆଲୋଚନା ଆରମ୍ଭ ହେବ।
ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ଆବେଦନକାରୀ ଦେଶଗୁଡ଼ିକୁ ଏକ 'ଫ୍ୟୁଚର ହୋଷ୍ଟ ପ୍ରଶ୍ନୋତ୍ତରୀ' ପୂରଣ କରିବାକୁ ପଡ଼ିବ ଏବଂ ଆର୍ଥିକ ଗ୍ୟାରେଣ୍ଟି ମଧ୍ୟ ଦେବାକୁ ହେବ। ଏହାସହ ଖେଳ ପାଇଁ ହେବାକୁ ଥିବା ଖର୍ଚ୍ଚ ନିୟନ୍ତ୍ରଣର ଉପାୟ, ଭିତ୍ତିଭୂମିର ସ୍ପଷ୍ଟତା ଏବଂ ସମୟସୀମା ବିଷୟରେ ଆଇଓସିକୁ ଅବଗତ କରାଇବାକୁ ପଡ଼ିବ। ୨୦୨୯ ମସିହାର ମଧ୍ୟଭାଗ ସୁଦ୍ଧା ଅଲିମ୍ପିକ୍ସ ହୋଷ୍ଟ ଦେଶର ନାମ ଉପରେ ଚୂଡ଼ାନ୍ତ ମୋହର ବାଜିବ।
ଅହମ୍ମଦାବାଦରେ ହୋଇପାରେ ଅଲିମ୍ପିକ୍ସ
ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍ ଆଞ୍ଜେଲସରେ ଏବଂ ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନଠାରେ ଅନୁଷ୍ଠିତ ହେବ। ୨୦୩୬ ମସିହା ପାଇଁ ଭାରତ ଦୀର୍ଘ ଦିନରୁ ପ୍ରୟାସ କରୁଛି ଏବଂ ଗତ ୨୦୨୪ ମସିହାରେ ଭାରତ ଆନୁଷ୍ଠାନିକ ଭାବେ ନିଜର 'ଲେଟର ଅଫ୍ ଇଣ୍ଟେଣ୍ଟ' ଦାଖଲ କରିସାରିଛି। ଯଦି ଭାରତକୁ ଏହି ଗୌରବ ମିଳେ, ତେବେ ଗୁଜରାଟର ଅହମ୍ମଦାବାଦ ସହରରେ ଅଲିମ୍ପିକ୍ସ ଖେଳର ମହାସମାରୋହ ଆୟୋଜନ କରାଯିବାର ସମ୍ଭାବନା ସବୁଠାରୁ ଅଧିକ ରହିଛି।