ନୂଆଦିଲ୍ଲୀ: ହାତମୁଠାରୁ ଖସିଗଲା ମ୍ୟାଚ୍। ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ଏକ ରୋମାଞ୍ଚକର ମୁକାବିଲାରେ ଭାରତୀୟ ଦଳକୁ ୬ ୱିକେଟ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ଜିତିବା ସ୍ଥିତିରେ ଥାଇ ମଧ୍ୟ ଖରାପ ଫିଲ୍ଡିଂ ଏବଂ କ୍ୟାଚ୍ ମିସ୍ ଯୋଗୁଁ ଟିମ୍ ଇଣ୍ଡିଆକୁ ଏହି ପରାଜୟର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଶ୍ୱକପରେ ଭାରତର ଏହା ପ୍ରଥମ ପରାଜୟ। ଦକ୍ଷିଣ ଆଫ୍ରିକାର ଷ୍ଟାର୍ ଖେଳାଳି ମାରିଜାନେ କ୍ୟାପଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବିଜୟ ହାସଲ କରିଛି।
ଶ୍ରୀ ଚରଣୀଙ୍କ ଡବଲ୍ ଝଟ୍କା ପରେ ଫେଲ୍ ମାରିଲା ଫିଲ୍ଡିଂ
ଭାରତ ପକ୍ଷରୁ ମିଳିଥିବା ୧୫୯ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଲୌରା ଭୋଲଭାର୍ଡ ଓ ତାଜମିନ୍ ବ୍ରିଟ୍ସ ମନ୍ଥର ଆରମ୍ଭ କରିଥିଲେ। ତେବେ ପାୱାର୍-ପ୍ଲେର ଶେଷ ଓଭରରେ ଭାରତୀୟ ବୋଲର ଶ୍ରୀ ଚରାଣୀ ଦୁଇଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଚରାଣୀ ପ୍ରଥମେ ଅଧିନାୟିକା ଭୋଲଭାର୍ଡ (୨୦) ଏବଂ ପରେ ଏନେରୀ ଡର୍କସେନ (୦)ଙ୍କୁ ଆଉଟ୍ କରି ମ୍ୟାଚ୍କୁ ଭାରତ ଆଡ଼କୁ ଆଣିଥିଲେ।
କିନ୍ତୁ ଏହାପରେ ମାରିଜାନେ କ୍ୟାପ୍ ଏବଂ ତାଜମିନ୍ ବ୍ରିଟ୍ସଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୯୭ ରନର ଏକ ବଡ଼ ଭାଗିଦାରୀ ହୋଇଥିଲା। ଭାରତୀୟ ଫିଲ୍ଡରମାନେ ସହଜ କ୍ୟାଚ୍ ଛାଡ଼ି ଏହି ଯୋଡ଼ିକୁ ସୁଯୋଗ ଦେଇଥିଲେ। ୧୭ତମ ଓଭରରେ ଶେଫାଳୀ ବର୍ମା ୪୦ ରନ୍ (୩୬ ବଲ୍) କରିଥିବା ବ୍ରିଟ୍ସଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଭାରତ ମ୍ୟାଚ୍କୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ରାଧା ଯାଦବଙ୍କ ଦ୍ୱାରା ମାରିଜାନେ କ୍ୟାପ୍ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ମିସ୍ ହେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କ୍ୟାପ୍ ୪୫ଟି ବଲ୍ରୁ ୮୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇଥିଲେ।
କାମ ଦେଲାନି ଭାରତୀୟ ବ୍ୟାଟରଙ୍କ ଲଢ଼େଇ, କେହି କରିପାରିଲେନି ଅର୍ଦ୍ଧଶତକ
ଏହାପୂର୍ବରୁ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୧୨ଟି ବଲ୍ରୁ ୧୭ ରନ୍ କରି ମାରିଜାନେ କ୍ୟାପ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ଅନ୍ୟପଟେ ଶେଫାଳୀ ବର୍ମା ୧୫ଟି ବଲ୍ରୁ ୧ଟି ଛକା ଓ ୪ଟି ଚୌକା ସହ ୩୧ ରନର ଏକ ଦ୍ରୁତ ପାଳି ଖେଳି ଶବନିମ ଇସମାଇଲ୍ଙ୍କ ଶିକାର ହୋଇଥିଲେ।
ୟାସ୍ତିକା ଭାଟିଆ ୧୫ ରନ୍ ଏବଂ ଜେମିମା ରୋଡ୍ରିଗଜ୍ ୧୨ ରନ୍ କରି ଆଉଟ୍ ହୋଇଥିଲେ। ନିଜର ୨୦୦ତମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଅଧିନାୟିକା ହରମନପ୍ରୀତ କୌର ୨୨ ବଲ୍ରୁ ୨୪ ରନ୍ କରି ଶବନିମଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା ୨୧ ବଲ୍ରୁ ୨୯ ରନ୍ ଏବଂ ରିଚା ଘୋଷ ୧୪ ବଲ୍ରୁ ୧୫ ରନ୍ କରି ଦଳୀୟ ସ୍କୋରକୁ ୧୫୮ରେ ପହଞ୍ଚାଇଥିଲେ।