ଚେନ୍ନାଇ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶନିବାର ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦଳକୁ ଷ୍ଟାର୍ ପେସର ହର୍ଷିତ ରାଣା ଫେରୁଥିବା ବେଳେ କିଛି ପ୍ରମୁଖ ଖେଳାଳିଙ୍କ ବ୍ୟାଟିଂ ସ୍ଥାନରେ ମଧ୍ୟ ବଦଳ କରାଯିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା କେମିତି ହୋଇପାରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ।
ଅର୍ଶଦୀପଙ୍କ ସ୍ଥାନରେ ଆସିବେ ହର୍ଷିତ
ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ବାମହାତୀ ପେସର ଆର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୯ ଓଭରରେ ୪୫ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ତେବେ ଲଗାତାର ମ୍ୟାଚ୍ ଖେଳୁଥିବାରୁ ଏହି ଶେଷ ଦିନିକିଆରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ଅର୍ଶଦୀପଙ୍କଙ୍କ ସ୍ଥାନରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିବା ପ୍ରାୟତଃ ସ୍ଥିର ହୋଇଛି।
ହର୍ଷିତ ରାଣା ଗତ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହାପରେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ସେ ଭାରତୀୟ ସ୍କ୍ୱାଡ୍ରେ ସାମିଲ ହୋଇଥିଲେ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମଅପ୍ ମ୍ୟାଚ୍ ମଧ୍ୟ ଖେଳିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ଆହତ ହୋଇ ବାହାରି ଯାଇଥିଲେ। ଏହି କାରଣରୁ ସେ ଚଳିତ ଆଇପିଏଲ୍ ସିଜନ ମଧ୍ୟ ଖେଳିପାରିନଥିଲେ। ଏବେ ଦୀର୍ଘ ଦିନ ପରେ ଦଳକୁ ଫେରି ସେ କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
୩ ନମ୍ବରରେ ବ୍ୟାଟିଂ କରିବେ କେଏଲ୍ ରାହୁଲ!
ଲକ୍ଷ୍ନୌ ଦିନିକିଆରେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଅଭିଜ୍ଞ ଖେଳାଳି କେଏଲ୍ ରାହୁଲଙ୍କୁ ଏହି ମ୍ୟାଚ୍ରେ ଟପ୍ ଅର୍ଡରକୁ ଅଣାଯାଇପାରେ। ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇପାରନ୍ତି। ରାହୁଲ ୩ ନମ୍ବରକୁ ଆସିଲେ ଶୁବମନ ଗିଲ୍ ୪ ନମ୍ବର ସ୍ଥାନକୁ ଖସିବେ। ଏହା ସହିତ ଇଶାନ କିଷାନ ଏବଂ ଶ୍ରେୟସ ଆୟର ମଧ୍ୟ ନିଜ ନିଜ ସ୍ଥାନରୁ ଗୋଟିଏ ଗୋଟିଏ ପାହାଚ ତଳକୁ ବ୍ୟାଟିଂ କରିବାକୁ ଆସିବେ।
ତୃତୀୟ ଦିନିକିଆ ପାଇଁ ଭାରତର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା, ଯଶସ୍ୱୀ ଜସୱାଲ, ଶୁବମନ ଗିଲ୍ (ଅଧିନାୟକ), କେଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଷାନ, ଶ୍ରେୟସ ଆୟର, ହର୍ଷ ଦୁବେ, ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଗୁରନୁର ବ୍ରାର୍।