ହାଇଦ୍ରାବାଦ: ତେଲଙ୍ଗାନାରେ ଆୟୋଜିତ ହେବାକୁ ଥିବା 'ଟିଜି-୨୦' କ୍ରିକେଟ୍ ଲିଗ୍କୁ ନେଇ ଏବେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଏହି ବିବାଦୀୟ ଲିଗ୍ର ପ୍ରଚାର ପ୍ରସାର କରିବା କିଛି ବଡ଼ କ୍ରିକେଟର ଏବଂ ସିନେମା ଜଗତର ସେଲିବ୍ରିଟିଙ୍କ ପାଇଁ ମହଙ୍ଗା ପଡ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର ବିନା ଅନୁମତିରେ ଏହି ଲିଗ୍ର ପ୍ରୋମୋସନ କରାଯାଉଥିବା ଅଭିଯୋଗ ହେବା ପରେ ଏବେ ସମ୍ପୃକ୍ତ ତାରକାମାନଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ରିପୋର୍ଟ ଅନୁଯାୟୀ, ତେଲଙ୍ଗାନା କ୍ରିକେଟ୍ ଆସୋସିଏସନ (TCA) ପକ୍ଷରୁ ଷ୍ଟାର୍ ଭାରତୀୟ ବୋଲର ମହମ୍ମଦ ସିରାଜ, ଯୁବ ବ୍ୟାଟର ତିଲକ ବର୍ମା ଏବଂ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁଙ୍କୁ ନୋଟିସ୍ ପଠାଯାଇଛି। କେବଳ କ୍ରିକେଟର ନୁହନ୍ତି, ବରଂ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ଭେଙ୍କଟେଶଙ୍କୁ ମଧ୍ୟ ଏହି ମାମଲାରେ ଆଇନଗତ ନୋଟିସ୍ ଜାରି କରାଯାଇଛି।
କାହିଁକି ଉପୁଜିଲା ବିବାଦ ?
ବିବାଦର ମୂଳ କାରଣ ହେଉଛି 'ଟିଜି-୨୦ ଲିଗ୍'। ଅଭିଯୋଗ ହୋଇଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ କିମ୍ବା ସମ୍ପୃକ୍ତ କ୍ରିକେଟ୍ ବୋର୍ଡଠାରୁ କୌଣସି ଆନୁଷ୍ଠାନିକ କିମ୍ବା ଜରୁରୀ ମଞ୍ଜୁରୀ ମିଳିନାହିଁ। ଏଭଳି ସ୍ଥିତିରେ ଏହି ଲିଗ୍ର ବେଆଇନ ପ୍ରଚାର କରାଯାଉଥିବାରୁ କ୍ରିକେଟ୍ ଆସୋସିଏସନ ଏହାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ଏଥିସହିତ ତେଲଙ୍ଗାନା କ୍ରିକେଟ୍ ଆସୋସିଏସନ ହାଇଦ୍ରାବାଦ କ୍ରିକେଟ୍ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। କିଛି ବେସରକାରୀ ସଂସ୍ଥା ବା ପ୍ରାଇଭେଟ୍ କମ୍ପାନୀ ସହ ମିଶି ନିୟମକୁ ଜଳାଞ୍ଜଳି ଦେଇ ଏହି ଲିଗ୍କୁ ଆଗକୁ ବଢ଼ାଯାଉଥିବା ନୋଟିସ୍ରେ ଦର୍ଶାଯାଇଛି।