ଭୁବନେଶ୍ୱର: ନଦୀ, ପୋଖରୀ, ଜଳାଶୟ କିମ୍ବା ବନ୍ୟା ପାଣି। ଅସାବଧାନତା ଓ ସଚେତନତାର ଅଭାବ ଯୋଗୁଁ ପ୍ରତିବର୍ଷ ଶହ ଶହ ଲୋକ ପାଣିରେ ବୁଡ଼ି ପ୍ରାଣ ହରାଉଛନ୍ତି। ତେବେ ଚିନ୍ତାଜନକ କଥା ହେଉଛି, ଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ପାଣିରେ ବୁଡ଼ି ୯ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ଭୟଙ୍କର ସ୍ଥିତିକୁ ରୋକିବା ପାଇଁ ଏବେ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ବୈଠକରେ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଏହି ଯୋଜନା ଅନୁଯାୟୀ, ସହରାଞ୍ଚଳର ପିଲାମାନଙ୍କୁ ପହଁରା ପ୍ରଶିକ୍ଷଣ ଦିଆଯିବ। ସେହିପରି ଯେଉଁ ସ୍ଥାନଗୁଡ଼ିକରେ ନଦୀ, ପୋଖରୀ କିମ୍ବା ଜଳାଶୟରେ ବୁଡ଼ି ମୃତ୍ୟୁ ଅଧିକ ଘଟୁଛି, ସେଠାରେ ସତର୍କତାମୂଳକ ସାଇନ୍ ବୋର୍ଡ ଲଗାଯିବା ସହ ଲୋକଙ୍କୁ ସଚେତନ କରାଯିବ।
ସରକାରୀ ତଥ୍ୟ ଅନୁସାରେ, ୨୦୨୧-୨୨ରେ ୧୭୫୪ ଜଣ, ୨୦୨୨-୨୩ରେ ୨୦୩୨ ଜଣ, ୨୦୨୩-୨୪ରେ ୨୧୧୬ ଜଣ ଏବଂ ୨୦୨୪-୨୫ରେ ୨୦୦୬ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଚଳିତ ୨୦୨୫-୨୬ ବର୍ଷରେ ମଧ୍ୟ ଏପର୍ଯ୍ୟନ୍ତ ୧୦୭୬ ଜଣଙ୍କ ଜୀବନ ଯାଇସାରିଛି।
ଜିଲ୍ଲା ଭିତ୍ତିକ ତଥ୍ୟ ଦେଖିଲେ, ମୟୁରଭଞ୍ଜରେ ସର୍ବାଧିକ ୭୨୭ ଜଣ, ବାଲେଶ୍ୱରରେ ୭୦୪ ଜଣ, ଗଞ୍ଜାମରେ ୬୭୬ ଜଣ, କେନ୍ଦୁଝରରେ ୬୦୪ ଜଣ ଓ ସୁନ୍ଦରଗଡ଼ରେ ୫୩୩ ଜଣ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ପ୍ରତିବର୍ଷ ବଢ଼ୁଥିବା ଏହି ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢ଼ାଇଥିବା ବେଳେ, ନୂଆ ପଦକ୍ଷେପ କେତେ ପ୍ରଭାବଶାଳୀ ସାବ୍ୟସ୍ତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।