ଭୁବନେଶ୍ଵର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକରେ ପହଁଚିବ ୪ଜି ନେଟୱାର୍କ । ରାଜ୍ୟର ୨୪ଟି ଜିଲ୍ଲାରେ ୭୦୭ଟି ନୂଆ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ସରକାରୀ ଜମି ଚିହ୍ନଟ କରି ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ ଚିଠି ଲେଖିଛନ୍ତି ।
ସଚିବ ୨୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ୭୦୭ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି । ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟର ଡିଜିଟାଲ ଭାରତ ନିଧି ଦ୍ୱାରା ୪ଜି ସାଚୁରେସନ ପ୍ରକଳ୍ପ ସ୍ଥାପନ ହେବ । ଏଥିପାଇଁ ପ୍ରତି ଟାୱାର ପିଛା ଅତିକମରେ ପ୍ରତ୍ୟେକ ସ୍ଥାନରେ ୨୦୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ କୁହାଯାଇଛି । ଯଥାଶୀଘ୍ର ନୋ ଅବଜେକ୍ସନ ସାର୍ଟିଫିକେଟ ବା ଏନ୍ଓସି ହାସଲ କରିବା ସହିତ ବିଏସ୍ଏନ୍ଏଲ୍କୁ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ଜମି ମିଳିବା ପରେ ବିଏସ୍ଏନ୍ଏଲ୍ ତରଫରୁ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।