ନୟାଗଡ଼: ଶରଣକୂଳ ଥାନା ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନ୍ୟାୟ ପାଇଁ ଭିକ୍ଷା ମାଗୁଥିବା ମହିଳା ଅଭିଯୋଗକାରିଣୀଙ୍କୁ ଫେବର୍ ମାଗୁଥିଲେ ଥାନା ବାବୁ । ଶାରୀରିକ ସମ୍ପର୍କ ରଖିବାକୁ ପକାଉଥିଲେ ଚାପ । ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କ ବିରୁଦ୍ଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଶେଷରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆଇଆଇସିଙ୍କୁ ବଦଳି କରାଯାଇଛି ।
ଅଭିଯୋଗକାରିଣୀଙ୍କ କହିବା ମୁତାବକ, ମହିଳାଙ୍କ ପରିବାର ସହିତ ଗ୍ରାମବାସୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହିଥିଲା । ଏଥିରେ ମହିଳାଙ୍କ ଘରକୁ ଭଙ୍ଗାରୁଜା କରିଥିଲେ । ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ତାଙ୍କୁ ଆଡ଼ୁ ଫୋନ୍ ନମ୍ବର ମାଗିକି ନେଇଥିଲେ । କିନ୍ତୁ ରସିକିଆ ଥାନା ବାବୁ ଘଟଣାର ସମାଧାନ କରିବା ବଦଳରେ ମହିଳାଙ୍କ ଦୁର୍ବଳତାର ଫାଇଦା ଉଠାଇଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।
ଏପିରିକି ଅନେକ ସମୟରେ ତାଙ୍କୁ ଭିଡ଼ିଓ କଲ୍ କରିବା ସହିତ ଫୋନ୍ କରି ବାରମ୍ବାର ହଇରାଣ କରୁଥିଲେ । କିଛି ଦିନ ତଳେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆ ହୋଇଥିବାବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ି ଅଟାକାଇଥିଲେ । ଏହା ପରେ ବାଉଁଶିଆରେ ଥିବା ଭଡ଼ା ଘରକୁ ଜୋର ଜବରଦସ୍ତ ନେଇଥିଲେ ଏବଂ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଆଉ କାହାକୁ ଏ ସମ୍ପର୍କରେ କହିଲେ ତାଙ୍କ ବାପା ଏବଂ ଭାଇକୁ ମିଛ ଅଭିଯୋଗରେ ହାଜତରେ ପୁରାଇ ଦେବେ ବୋଲି ଧମକ ଦେଇଥିଲେ ।
ଖାଲି ସେତିକି ନୁହେଁ ଗତ ମାସ ୨୮ ତାରିଖରେ ମହିଳାଙ୍କୁ ଆଇଆଇସି ଜୋର ଜବରଦସ୍ତ ଟାଣି ଟାଣି ଥାନାକୁ ନେଇଥିଲେ । ମିଛ ମାମଲାରେ ଜେଲ୍ ପଠାଇଦେଲେ । ଏହା ପରେ ଗତ ୧୨ ତାରିଖରେ ସେ ଜାମିନରେ ଆସିଥିଲେ । ମହିଳାଙ୍କ ଫୋନରେ ରଖିଥିବା ପ୍ରମାଣ ସ୍ୱରୂପ ସମସ୍ତ ଫଟୋ ଏବଂ ଭିଡ଼ିଓକୁ ଥାନା ଅଧିକାରୀ ଡିଲିଟ କରିଦେଇଥିଲେ ।
ଶେଷରେ ସବୁଆଡ଼ୁ ନିରାଶ ହୋଇ ନୟାଗଡ଼ ଏସପିଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି । ଏହି ମାମଲାର ତଦନ୍ତ ପାଇଁ ଏଏସ୍ପି ସମହିଳାଙ୍କ ସମସ୍ତ ଅଭିଯୋଗ ଶୁଣିଛନ୍ତି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାକୁ ମାମଲାରୁ ହସ୍ତାନ୍ତର କରାଯାଇଛି । ସେପଟେ ଆଇଆଇସିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶରଣକୁଳ ଥାନାରୁ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।