ଭୁବନେଶ୍ୱର: ଉପ ବାଚସ୍ପତିଙ୍କ ଜାଲ ଦସ୍ତଖତ କରିବା ଅଭିଯୋଗରେ ସହକାରୀ ଯନ୍ତ୍ରୀ ଗିରଫ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଆଣିଛି କ୍ୟାପିଟାଲ୍ ଥାନା ପୋଲିସ ।
ଭୁବନେଶ୍ୱର ଜୋନ୍-୧, ଏସିପି ରମେଶ ବିଷୋୟୀ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଚଳିତ ମାସ ୧୩ ତାରିଖରେ ଉପ-ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ କରାଯାଇଥିବାର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା । ହରିଚନ୍ଦନପୁର ବ୍ଲକ୍ ସହକାରୀ ଯନ୍ତ୍ରୀ, ଲକ୍ଷ୍ମଣ ହେମ୍ବ୍ରମ୍ ଏବଂ ବାଂଶପାଳ ବ୍ଲକ୍ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମୋନାଲିସା ବେହେରାଙ୍କ ନାମରେ ଏତଲା ଦିଆଯାଇଥିଲା । ଏହି ଦୁଇ ଜଣ ଉପ-ବାଚସ୍ପତିଙ୍କ ଦସ୍ତଖତକୁ ନକଲ କରି ସେମାନଙ୍କର ଚାକିରୀ ସ୍ଥାନାନ୍ତରଣ କରିଥିଲେ ।
ପୋଲିସ ଉଭୟଙ୍କ ନାମରେ ମାମଲାର ରୁଜୁ କରିବା ପରେ ତଦନ୍ତ କରିଥିଲା । ପ୍ରମାଣ ମିଳିବା ପରେ ଲକ୍ଷ୍ମଣ ହେମ୍ବ୍ରମଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଛି । ତାଙ୍କ ଭୁବନେଶ୍ୱରକୁ ଅଣାଯାଇ ଜେରା କରାଯାଉଛି । ସେପଟେ ମୋନାଲିସାଙ୍କ ବିରୁଦ୍ଧରେ ଯାଞ୍ଚ ଚାଲିଛି । ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।