ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଡାକ୍ତରଙ୍କ ଅବହେଳା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗେରବନ୍ଧ ଗାଁର ଶରତ ମେହେର ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପ୍ରସବ ବେଦନା ହେବାରୁ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ପରିବାରର ଅଭିଯୋଗ ଅନୁସାରେ, ସେତେବେଳେ ଡାକ୍ତର ଉପସ୍ଥିତ ନଥିଲେ ଏବଂ ଡ୍ୟୁଟିରେ ଥିବା ନର୍ସ ରୋଗୀଙ୍କୁ ଦେଖୁଥିଲେ।
ପ୍ରସୂତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରିବା ପାଇଁ ପରିବାର ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା। ହେଲେ ଏଠାରେ ହିଁ ପ୍ରସବ କରାଯିବ ବୋଲି କହି ସ୍ଥାନାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି। ରାତିସାରା ପ୍ରସବ ବେଦନାରେ ଛଟପଟ ହେବା ପରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଏକ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ କହିଛନ୍ତି।
ଏହି ଘଟଣା ପରେ ଡାକ୍ତରଙ୍କ ଅବହେଳା ଏବଂ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥାକୁ ଦାୟୀ କରି ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ପରିସରରେ ପ୍ରତିବାଦ କରିଥିଲେ। ଅନ୍ୟପଟେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।