ସୋନପୁର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ ୨୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଜିଲ୍ଲାପାଳଙ୍କ ପକ୍ଷରୁ ଜୁନ୍ ୧୭ରେ ଜାରି ହୋଇଥିବା ଏହି ଆଦେଶ ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ଶିକ୍ଷା ପ୍ରତିଷ୍ଠାନରେ ପାଠପଢ଼ା ବନ୍ଦ ରହିବ। ଜିଲ୍ଲାରେ ତାପମାତ୍ରା ଲଗାତାର ଉଚ୍ଚ ରହୁଥିବାରୁ ଶିଶୁ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବା ଆଶଙ୍କାକୁ ନେଇ ଏହି ପଦକ୍ଷେପ ନିଆଯାଇଛି।
ତେବେ ଏହି ସମୟ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଯଥା ପୂର୍ବ ନିର୍ଘଣ୍ଟ ଅନୁସାରେ ହେବ। କିନ୍ତୁ ଖରାର ପ୍ରଭାବକୁ କମାଇବା ପାଇଁ ପରୀକ୍ଷା ସକାଳ ସମୟରେ କରାଇବାକୁ ପ୍ରଶାସନ ପରାମର୍ଶ ଦେଇଛି।
ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପିଇବା ପାଣି, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଏବଂ ହିଟ୍ୱେଭ୍ ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ ବି ତାତିର ପ୍ରକୋପ ଜାରି ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛି। ତାତିର ତାଣ୍ଡବ ମଧ୍ୟରେ ପିଲାଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖି ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି।