ପୁରୀ: ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଛି କି ଡାଲଡା ଘିଅ ? ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଡାଲଡା ଘିଅକୁ ଜବତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଚଢାଉବେଳେ ୩୦ ପ୍ୟାକେଟ ଡାଲଡ଼ା ଘିଅ ଜବତ ହୋଇଥିବା ନେଇ ସୂଚନା ମିଳିଛି। ଜବତ ଡାଲଡା ଘିଅ ସମ୍ପର୍କରେ ସିଂହଦ୍ଵାର ପୋଲିସକୁ ଅବଗତ କରାଯାଇଛି ।
ଶ୍ରୀମନ୍ଦିର ରୋଷ ଘରେ କେବଳ ଓମଫେଡ୍ ଦ୍ୱାରା ପ୍ରସ୍ତୁତ ଗୁଆ ଘିଅ ଛଡ଼ା ଆଉ କୌଣସି ଘିଅ ବ୍ୟବହାର ହୋଇପାରିବ ନାହିଁ । ମହାପ୍ରଭୁଙ୍କ ମହାପ୍ରସାଦରେ କେବଳ ଓମଫେଡ୍ ଘିଅ ବ୍ୟବହାର ହୋଇପାରିବ । ଏ ନେଇ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ କେଉଁ ସୁଆର ରୋଷ ଘରକୁ ଡାଲଡ଼ା ଘିଅ ନେଉଥିଲେ ତାହା ଏବେ ବଡ଼ ପ୍ରଶ୍ନ । ଏଥିରେ ଆଉ କେଉଁ ସେବାୟତ ସାମିଲ ଅଛନ୍ତି ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି ।