ଭୁବନେଶ୍ୱର: ପୁଣି ଜଣେ ଡାକ୍ତରାଣୀ ଜୀବନ ହାରିଛନ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ଦିବ୍ୟା. ଭି । ସେ କର୍ଣ୍ଣାଟକର ମୂଳ ବାସିନ୍ଦା ହୋଇଥିବାବେଳେ ଏମ୍ସରେ କାର୍ଯ୍ୟରତ ଥିଲେ । ଡୁମଡୁମା ସ୍ଥିତ ଭଡ଼ାଘରୁ ତାଙ୍କର ମୃତ ଦେହକୁ ଖଣ୍ଡଗିରି ଥାନା ପୋଲିସ ଉଦ୍ଧାର କରିଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଡାକ୍ତର ଦିବ୍ୟା ଭି. ଡୁମୁଡୁମାରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ରହୁଥିଲେ । ଉଭୟ ଗୋଟିଏ ଘରେ ଏକାଠି ରହୁଥିଲେ । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ଯେଉଁଥିପାଇଁ ସେ ମାନସିକ ଚାପରେ ଥିଲେ । ଗତକାଲି ପୁରୁଷ ବନ୍ଧୁ ଡ୍ୟୁଟିକୁ ଯାଇଥିବା ବେଳେ ଦିବ୍ୟା ଘରେ ଏକାକୀ ଥିଲେ। ପୁରୁଷ ବନ୍ଧୁ ଘରକୁ ଫେରିବା ପରେ କବାଟ ବାଡେଇଥିଲେ । କିନ୍ତୁ ଦିବ୍ୟା କବାଟ ଖୋଲି ନଥିଲେ । ଏହା ପରେ ସେ କବାଟ ଭାଙ୍ଗି ଦେଖିଲା ବେଳେ ଦିବ୍ୟାଙ୍କ ଫ୍ୟାନରେ ଝୁଲୁଥିଲେ । ଏ ନେଇ ସେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ମୃତ ଦେହକୁ ଜବତ କରିଛି ।
ପୋଲିସ ଦିବ୍ୟାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ସଦସ୍ୟ ପହଁଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।