ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ବଡ ଝଟକା ଲାଗିଛି । ଶିବସେନା ଉଦ୍ଧବ ବାଲା ସାହେବ ଠାକରେ୮୍କ ୬ ଜଣ ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ନିଜର ସମର୍ଥନ ଘୋଷଣା କରିଛନ୍ତି । ଯେଉଁ ସାଂସଦଙ୍କ ଏକନାଥ ସିନ୍ଦେଙ୍କୁ ସମର୍ଥଣ ଦେବାକୁ ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ସଞ୍ଜୟ ଯାଧବ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମରାଜେ ନିମ୍ବାଲକର, ଭାଉସାହେବ ୱାକଚୋରେ ଓ ସଞ୍ଜୟ ଦିନା ପାଟିଲ ସାମିଲ୍ ।
ବରିଷ୍ଠ ନେତା ସଞ୍ଜୟ ରାଉତ ବିଦ୍ରୋହୀ ସାଂସଦମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ସାଂସଦ ଦଳ ବଦଳାଇବାକୁ ଚାହୁଁଛନ୍ତି, ତେବେ ସେମାନେ ପ୍ରଥମେ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ରାଉତ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ୨୦୨୨ ମସିହା ଭଳି ପୁଣିଥରେ ଦଳ ଭାଙ୍ଗିବାକୁ ଚେଷ୍ଟା କରାଯାଏ, ତେବେ ମହାରାଷ୍ଟ୍ରର ଜନତା ଏବଂ ଶିବସେନା (UBT) ର କର୍ମୀମାନେ ଚୁପ୍ ବସିବେ ନାହିଁ।
ଏହି ସାମ୍ବାଦିକ ସମ୍ମିଳନୀରେ ଶିବସେନା (UBT) ର ମୋଟ ୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ମାତ୍ର ୩ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନେ ହେଲେ ଅରବିନ୍ଦ ସାୱନ୍ତ, ଅନିଲ ଦେଶାଇ ଏବଂ ରାଜାଭାଉ ୱାଜେ। ପ୍ରେସ୍ ମିଟ୍ରେ ରାଉତ ବିଦ୍ରୋହୀ ସାଂସଦମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ, ଉଦ୍ଧବ ଠାକରେ ଏବଂ ଦଳର ସାଧାରଣ କର୍ମୀମାନେ ସେମାନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଛନ୍ତି। ତେଣୁ ଯଦି ଦଳ ଛାଡ଼ିବାର ଅଛି, ତେବେ ପ୍ରଥମେ ଇସ୍ତଫା ଦେଇ ଦଳରୁ ବାହାରନ୍ତୁ।
ଅନ୍ୟପଟେ, ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ସାଂସଦ ଦଳ ଛାଡ଼ିବା ନେଇ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ କୌଣସି ଆଧିକାରିକ ସୂଚନା ନାହିଁ। ଏହା ସହିତ ସେ ଏକ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଯେ ମହାରାଷ୍ଟ୍ରର ସାଂସଦମାନଙ୍କୁ କିଣିବା ପାଇଁ ୧୫-୧୫ କୋଟି ଟଙ୍କାର ପ୍ରଲୋଭନ ଦିଆଯାଉଛି। ଯଦି ତୃଣମୂଳ କଂଗ୍ରେସ (TMC) ଏବଂ ଶିବସେନା (UBT) ଭଳି ଆଞ୍ଚଳିକ ଦଳଗୁଡ଼ିକୁ ଏହିପରି ଭାବେ ଭଙ୍ଗାଯାଏ, ତେବେ ଦେଶରେ ନିର୍ବାଚନ ଲଢ଼ିବାର କୌଣସି ମାନେ ରହିବ ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।