ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିଛି ଆଉ ଏକ ବଡ଼ ସଫଳତା। ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ୍ ମିସାଇଲ (LRLACM)ର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO)। ଏହି ସଫଳ ପରୀକ୍ଷଣ ଭାରତର ସାମରିକ କ୍ଷମତାକୁ ଆହୁରି ମଜବୁତ କରିବା ସହ ଦେଶର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିର ଶକ୍ତିକୁ ବିଶ୍ୱ ସାମ୍ନାରେ ପ୍ରଦର୍ଶନ କରିଛି।
ଗତକାଲି ହୋଇଥିବା ଏହି ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ ସଠିକ୍ ଭାବେ ଗତି କରି ସମସ୍ତ ପରୀକ୍ଷାତ୍ମକ ଉଦ୍ଦେଶ୍ୟକୁ ସଫଳତାର ସହ ପୂରଣ କରିଥିଲା। ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ଉନ୍ନତ ଟ୍ରାକିଂ ଓ ନିରୀକ୍ଷଣ ପ୍ରଣାଳୀ ଦ୍ୱାରା ମିଳିଥିବା ତଥ୍ୟ ମଧ୍ୟ ଏହି ସଫଳତାକୁ ସ୍ପଷ୍ଟ କରିଛି।
ସବୁଠାରୁ ଗର୍ବର ବିଷୟ ହେଉଛି, ଏହି ଦୂରଗାମୀ କ୍ରୁଜ୍ ମିସାଇଲ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିରେ ବିକଶିତ ହୋଇଛି। DRDO ଏବଂ ଦେଶର ବିଭିନ୍ନ ରକ୍ଷା ଶିଳ୍ପ ସହଯୋଗୀଙ୍କ ମିଳିତ ପ୍ରୟାସର ଫଳସ୍ୱରୂପ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରସ୍ତୁତ ହୋଇଛି। ଏହା ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବ।
ପରୀକ୍ଷଣ ବେଳେ ଭାରତୀୟ ବାୟୁସେନା ଓ ନୌସେନାର ପ୍ରତିନିଧିମାନେ ଉପସ୍ଥିତ ରହି ଏହାର ନିରୀକ୍ଷଣ କରିଥିଲେ। ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ବୈଜ୍ଞାନିକ ଦଳ ଏବଂ ସମସ୍ତ ରକ୍ଷା ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶାର ମାଟିରୁ ହୋଇଥିବା ଏହି ସଫଳ ପରୀକ୍ଷଣ କେବଳ ଏକ ବୈଜ୍ଞାନିକ ଉପଲବ୍ଧି ନୁହେଁ, ବରଂ ଭାରତର ସୁରକ୍ଷା କବଚକୁ ଆହୁରି ଦୃଢ଼ କରିବାର ଏକ ଐତିହାସିକ ପଦକ୍ଷେପ ବୋଲି ମନେ କରାଯାଉଛି। ଏହା ପୁଣିଥରେ ପ୍ରମାଣ କରିଛି ଯେ, ଭାରତ ଏବେ ପ୍ରତିରକ୍ଷା ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ସହ ସମକକ୍ଷ ଭାବେ ଆଗକୁ ବଢ଼ୁଛି।